ସୁନ୍ଦରଗଡ: ଜିଲ୍ଲାର ବଣାଇଁ ବ୍ଲକ୍ ତଳିତା ଗ୍ରାମର ରଙ୍ଗୀନ ଫୁଲ କୋବି ଚାଷୀ ଉତ୍ତମ ସାହୁଙ୍କ ନାମ ହାଇବ୍ରିଡ ଭେଜିଟେବଲ ସ୍କିମକୁ ଉନ୍ନିତ । ହାଇବ୍ରିଡ ଭେଜିଟେବଲ ଚାଷ ପାଇଁ ତାଙ୍କୁ ଉଦ୍ୟାନ ବିଭାଗ ଯୋଗାଇବ ସମସ୍ତ ସୁବିଧା । ବଣାଇଁ ତଳିତା ଗ୍ରାମର ଉତ୍ତମ ୟୁ-ଟ୍ୟୁବ ଦେଖି ଆରମ୍ଭ କରିଥିଲେ ପ୍ରଥମେ ବ୍ରୋକଲି ଚାଷ । ୟୁ-ଟ୍ୟୁବ ଘାଣ୍ଟୁ ଘାଣ୍ଟୁ ତାଙ୍କୁ ରଙ୍ଗୀନ ଫୁଲକୋବିର ଚିତ୍ର ମିଳିଥିଲା । ତା’ପରେ ସେ ରଙ୍ଗୀନ ଫୁଲ କୋବିର ମଞ୍ଜି ଖୋଜି ସଂଗ୍ରହ କରିଥିଲେ କଟକ ଜିଲ୍ଲାରୁ । ମଞ୍ଜି ପାଇବା ପରେ ସେ ଆରମ୍ଭ କରିଥିଲେ ଏହି ଚାଷ ।
ବଣାଇଁ ଅଞ୍ଚଳର ଏହା ପ୍ରଥମ ହୋଇଥିବା ବେଳେ ସାରା ଅଞ୍ଚଳ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଅନ୍ୟ ଚାଷୀ ଆକୃଷ୍ଟ ହୋଇ ତାଙ୍କ ନିକଟରେ ପହଞ୍ଚୁଥିଲା ବେଳେ ଅତୀତରେ କୃଷି ବିଭାଗର ଅଧିକାରୀ ଆଉ ଆଜି ଉଦ୍ୟାନ ବିଭାଗର ଅଧିକାରୀ ମାନେ ତାଙ୍କ କଲରଫୁଲ କୋବି କ୍ଷେତରେ ପହଞ୍ଚିଛନ୍ତି ।
ତେବେ ଏହି କୋବି ପାଇଁ କୌଣସି ସ୍ୱତନ୍ତ୍ର ପ୍ରଶିକ୍ଷଣ ସେ ନେଇ ନାହାଁନ୍ତି କିମ୍ବା କୋବି ଚାଷରେ କୌଣସି ରାସାୟନିକ ସାର ବ୍ୟବହାର କରି ନଥିବା କଥା ସେ କହିଛନ୍ତି । ସାଧାରଣ ଫୁଲ କୋବି ଭଳି ଏହାର ସ୍ୱାଦ ହୋଇଥିଲେ ମଧ୍ୟ ଏହି କୋବି ସାଧାରଣ କୋବିର ବଜାର ମୂଲ୍ୟ ଠାରୁ 300 ପ୍ରତିଶତ ଅଧିକ ଟଙ୍କା ରୋଜଗାର କରୁଥିବା କଥା ସେ କହିଛନ୍ତି । କେବଳ ସେତିକି ନୁହେଁ ଏହି କୋବି ଦୀର୍ଘ ଦିନ ଧରି ସତେଜ ରହୁଥିବା କଥା ସେ କହିଛନ୍ତି ।
ଉତ୍ତମଙ୍କର ଏହି ଅଭିନବ କୋବିଚାଷ ଆଖପାଖ ଚାଷୀଙ୍କୁ ଆକୃଷ୍ଟ କରିଛି । ଉତ୍ତମ ପେଷାରେ ଜଣେ କୃଷି ବିଭାଗୀୟ କର୍ମଚାରୀ , ନିଜର ସରାକରୀ ଦାୟିତ୍ତ୍ୱ ପରେ ଯେଉଁ ଟିକକ ସମୟ ପାଆନ୍ତି ସେହି ସମୟ ସେ ଚାଷରେ ଲଗାନ୍ତି ବୋଲି କହିଛନ୍ତି । ଉତ୍ତମଙ୍କ ଏହି ରଙ୍ଗୀନ ଫୁଲ କୋବି ଚାଷ ଗାଁରୁ ଆରମ୍ଭ ହୋଇ ସହର , ଜିଲ୍ଲା , ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚା ହେବା ପରେ ସ୍ଥାନୀୟ ଉଦ୍ୟାନ ବିଭାଗୀୟ ଅଧିକାରୀ ମାନେ ପହଞ୍ଚିଛନ୍ତି ।
ତେବେ ଉଦ୍ୟାନ ବିଭାଗୀୟ ଅଧିକାରୀ ମାନେ ଆଜି ଉତ୍ତମଙ୍କ କୋବି ଚାଷ ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ଇଛା ଶକ୍ତିକୁ ଆହୁରି ଆଗକୁ ବଢାଇବା ନେଇ ପ୍ରୋତ୍ସାହିତ କରିବା ସହ ତାଙ୍କ ନାମ ହାଇବ୍ରିଡ ଭେଜିଟେବଲ ସ୍କିମରେ ପଞ୍ଜିକୃତ କରିବେ ବୋଲି କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ