ରାଉରକେଲା: ଲୋୟର ପିଏମଜିରେ ପୋଲିସ ଓ ବିଜେପି ଯୁବମୋର୍ଚ୍ଚା ମଧ୍ୟରେ ହୋଇଥିବା ସଂଘର୍ଷରେ ୨୨ଜଣ ବିଜେପି କର୍ମୀ ଗିରଫ ହୋଇଥିବା ବେଳେ ଏହାକୁ ବିରୋଧ କରି ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଉରକେଲା ସହରରେ ଛେଣ୍ଡ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ଗତକାଲି(ଗୁରୁବାର) ବିଜେପି ପକ୍ଷରୁ ଜିଲ୍ଲାରେ ବିକ୍ଷୋଭ କରାଯାଇଥିବା ବେଳେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଭର୍ତ୍ସନା କରିଛି ଦଳ । ବିଜେପି ଯୁବ ମୋର୍ଚ୍ଚା କର୍ମୀ କହିଛନ୍ତି, "ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡକୁ ମାସେ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର ଆଖି ଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବା ବେଳେ ରାଜ୍ୟରେ ଏତେ ବଡ ଅଘଟଣ ଘଟିବା ପରେ ମଧ୍ୟ ଆଜିଯାଏଁ କୌଣସି ପ୍ରତିକ୍ରିୟା ଦେଲେ ନାହିଁ । ଏହାକୁ ନେଇ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇ ଲୋୟାର ପିଏମଜିରେ ବିକ୍ଷୋଭ କରାଯାଇଥିଲା । ତେବେ ଏଠାରେ ବିକ୍ଷୋଭ ସମୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା, କିନ୍ତୁ ପୋଲିସ ସେଠାରେ ବିଜେପି କର୍ମୀଙ୍କୁ ଏଭଳି ଅମାନୁଷିକ ଭାବେ ପିଟିବା ସହ ବିନା କାରଣରେ ୨୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ମିଛ ଦଫା ଲଗାଯାଇଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଉରକେଲା ସହରରେ ଛେଣ୍ଡ ଛକରେ ତୀବ୍ର ବିରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଆଜି(ଶୁକ୍ରବାର) ବିଜେପି ପକ୍ଷରୁ ରାଉରକେଲା ସହରର ସମସ୍ତ ଥାନା ସମ୍ମୁଖରେ ବିକ୍ଷୋଭ କରି ରାଜ୍ୟ ପୋଲିସ ବିଭାଗ ଡିଜି, ପୋଲିସ କମିଶନର, ଏବଂ ଏସିପିଙ୍କ ବିରୋଧରେ ମାମଲା ରୁଜୁ କରାଯିବ ।"
ପ୍ରକାଶଥାଉକି, ଗତ ମଙ୍ଗଳବାର ଦିନ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ସମୟରେ ଯୁବମୋର୍ଚ୍ଚା କର୍ମକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା l ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ମାମଲା ରୁଜୁ କରି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଓ ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜଙ୍କ ସମେତ ୨୨ଜଣ କର୍ମକର୍ତ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ରାଉରକେଲା ବିଜେପି ଯୁବ ମୋର୍ଚ୍ଚା ମଧ୍ୟ ବିରୋଧ କରିଛି । ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି ବିଜେପି । ନବୀନ ପଟ୍ଟନାୟକ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଅସମର୍ଥ ବୋଲି ଅଭିଯୋଗ କରିଛି ବିଜେପି । ଏଭଳି ନାରା ଦେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପ୍ରସଙ୍ଗରେ ମଧ୍ୟ ଭାରତୀୟ ଜନତା ଦଳ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ସରକାରର ଇସ୍ତଫା ଦାବି କରିଛି।
ଇଟିଭି ଭାରତ, ରାଉରକେଲା