ସୁନ୍ଦରଗଡ: ବ୍ୟାପକ ଅବ୍ୟବସ୍ଥା ନେଇ ସୁନ୍ଦରଗଡ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲେ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ । ଷ୍ଟ୍ରିଟ ଲାଇଟର ଅବ୍ୟବସ୍ଥା, ରାସ୍ତାରେ ଗାଈଗୋରୁଙ୍କ ଉପଦ୍ରବ ଓ ନାଳ ନର୍ଦ୍ଦମା ପାଣି ଲୋକଙ୍କ ଘରକୁ ପଶୁଥିବା ନେଇ ଅଭିଯୋଗ କରିଛି ବିଜେପି। ଫଳରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ।
ଗତକାଲି ଏନେଇ ଟାଉନ କଂଗ୍ରେସ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କେତେକ ପ୍ରସଙ୍ଗ ନେଇ ଚେତାବନୀ ଦେଇଥିବା ବେଳେ ଅନୁରୂପ ଭାବେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି । ସୁନ୍ଦରଗଡରେ ଷ୍ଟ୍ରିଟ୍ ଲାଇଟ ଜଳୁ ନଥିବାରୁ ଅନ୍ଧାର ଯୋଗୁଁ ସବୁଦିନ ଦୁର୍ଘଟଣା ଘଟୁଛି ଏବଂ ରାସ୍ତାରେ ଗାଈଗୋରୁଙ୍କ ଉପଦ୍ରବ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୁନ୍ଦରଗଡବାସୀ ।
ପୌରପାଳିକା ଏଥି ପ୍ରତି ଦୃଷ୍ଟି ନ ଦେବା ଏପରିକି କୌଣସି କାର୍ଯ୍ୟାନୁଷ୍ଠାନ ନନେବା ନେଇକର୍ମୀ ମାନେ ଗତକାଲି ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଚେତାବନୀ ଦେଇଛନ୍ତି । ଯଦି ଏହି ସମୟ ମଧ୍ୟରେ ସମାଧାନ ନହୁଏ ତେବେ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବ ବୋଲି ଯୁବ ମୋର୍ଚ୍ଚା ସୁନ୍ଦରଗଡ ସାଂଗଠନିକ ଜିଲ୍ଲା ସଭାପତି ଅମୀୟ କୁମାର ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।
ସୁନ୍ଦରଗଡରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ