ରାଉରକେଲା: ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘର ଅଧିବେଶନ । ବିଭିନ୍ନ ଜନହିତକାରୀ ଦାବିକୁ ନେଇ ଅଧିବେଶନ କରିଛି ସଂଘ । ମହିଳାମାନଙ୍କ ରାଷ୍ଟ୍ରବ୍ୟାପୀ ସଂଗଠନ ନିର୍ମାଣ ପାଇଁ ଦାବି ସହ ମହିଳାଙ୍କୁ ବିଭିନ୍ନ ଦିଗରେ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ କରିଛି ସଂଘ । ତେଣୁ ମହିଳା ତଥା ଅଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ସୂଚନା ଅନୁଯାୟୀ, ରାଉରକେଲା ସେକ୍ଟର-୨ ସ୍ଥିତ ମ୍ୟାକ୍ସମୁଲାର ଭବନଠାରେ ଅନୁଷ୍ଠିତ ହୋଇଥିଲା ଏହି ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘର ବୈଠକ । ସାରା ଦେଶରେ ମହିଳାମାନେ କିପରି ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଓବିସିମାନଙ୍କର ଜାତି ଆଧାରିତ ଜନଗଣନା ନକରି କିପରି ଓବିସିମାନଙ୍କୁ ତାଙ୍କ ହକ୍ରୁ ବଞ୍ଚିତ କରାଯାଉଛି । କଥାକଥିତ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ଆଦି ବିଷୟ ଉପରେ ଆଲୋକପାତ କରିଛି ସଂଘ ।
ମହିଳାମାନଙ୍କ ଅଧିକାର ପାଇଁ ଦାବି କରିବା ଏବଂ ସମାଜର ମୁଖ୍ୟ ସ୍ରୋତରୁ ବଞ୍ଚିତ ହେଉଥିବା ଆଦିବାସୀ ମହିଳାଙ୍କ ଉନ୍ନତି । ମହାଳାଙ୍କୁ ଯଥୋଚିତ୍ତୋ ସମ୍ମାନ ଦେବାକୁ ସଂଘ ପକ୍ଷରୁ ଆଲୋଚନା କରାଯାଇଥିଲା । ବିବିଧ ପୃଷ୍ଠଭୂମିର ମହିଳାଙ୍କ ସ୍ୱରକୁ ବ୍ୟାପକ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଉଛି OBCର ଜାତିଭିତ୍ତିକ ଜନଗଣନା ନହେବା କାରଣରୁ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି ।
ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଙ୍ଘ ରାଷ୍ଟ୍ରୀୟ ସଭାପତି କମଳିନୀ ଯାଦବ କହିଛନ୍ତି,"ନାରୀଙ୍କ ଉପରେ କରାଯାଉଥିବା ଭେଦଭାବ ନୀତି ଅସହ୍ୟ । ଶିକ୍ଷା ଓ ସଚେତନତା ଅଭାବ କାରଣରୁ ଅଧିକାଂଶ ନାରୀ ନିଜର ଅଧିକାରରୁ ଅଞ୍ଚିତ ଅଛନ୍ତି । କଥାରେ ନୁହେଁ, କାମରେ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଦେବାର ସମୟ ଆସିଛି । ନାରୀ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦାୟୀତ୍ୱବାନ ହେବା ଉଚିତ । ତେଣୁ ନାରୀଙ୍କୁ ଆହୁରି ସଶସ୍ତ୍ର କରିବା ପାଇଁ ମହିଳାମାନଙ୍କ ରାଷ୍ଟ୍ରବ୍ୟାପୀ ସଂଗଠନ ନିର୍ମାଣର ଆବଶ୍ୟକତା ରହିଛି ।"
ସେ ଆହୁରି କହିଛନ୍ତି, "ଦାରିଦ୍ର୍ୟ ଏବେ ମଧ୍ୟ ଆଦିବାସୀମାନଙ୍କୁ ଗ୍ରାସ କରିଚାଲିଛି ଏବଂ ସେମାନଙ୍କ ସାମାଜିକ- ଅର୍ଥନୈତିକ ସ୍ତରରେ ଉନ୍ନତ କରିବା ପାଇଁ ଲକ୍ଷ୍ୟବଦ୍ଧ ହସ୍ତକ୍ଷେପ ଉପରେ ଗୁରୁତ୍ୱାରୋପ କରାଯାଉଛି । ମାନବ ଚାଲାଣ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଗମ୍ଭୀର ଚିନ୍ତାର ପାଲଟିଛି । ଆଦିବାସୀଙ୍କୁ ଜାଗୃତ କରିବା ପାଇଁ ବିଭିନ୍ନ ପନ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।"
ଇଟିଭି ଭାରତ, ରାଉରକେଲା