ସୁନ୍ଦରଗଡ : ସାମାନ୍ୟ କଳି ନେଇଗଲା ସ୍ତ୍ରୀର ଜୀବନ । ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଗୁଡିଆ ଟୋଲିରେ ଘଟିଛି ଏହି ଅଘଟଣ । ସୁନିତା ନାମକ ଜଣେ 19 ବର୍ଷ ବୟସ୍କା ମହିଳା ନିଜ ସ୍ୱାମୀଙ୍କ ଉପରେ ରାଗି ଏପରି କାଣ୍ଡ ଘଟାଇଛି ।
ପ୍ରେମ ବିବାହ କରି ନିଜ ସ୍ୱାମୀ ରୋହିତ ସହ ମହିଳା ଜଣଙ୍କ ରାଉରକେଲା ଗୁଡିଆ ଟୋଲିରେ ରହୁଥିଲା । ତେବେ ଆଜି କୌଣସି କଥାକୁ କେନ୍ଦ୍ର କରି ପତି ପତ୍ନୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । କିଛି ସମୟ ପାଇଁ ରୋହିତ ଘରୁ ଅନ୍ୟତ୍ର ଯାଇଥିବା ବେଳେ ସୁନିତା ନିଜ ଓଢଣୀରେ ଝୁଲି ଆତ୍ମହତ୍ୟା କରିଥିଲା । ରୋହିତ ଘରକୁ ଫେରି ଏହି ଦୃଶ୍ୟ ଦେଖିବା ପରେ ରଘୁନାଥ ପାଲି ପୋଲିସକୁ ଖବର ଦେଇଥିଲା । ମୃତ ସୁନିତାର ବାପ ଘର ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଝାରବେଡା ବୋଲି ପୋଲିସ କହିବା ସହ ମୃତକଙ୍କ ବାପାଙ୍କ ଘରକୁ ଖବର ଦେଇଛି ।
ସୁନିତା ଓ ରୋହିତ ମଧ୍ୟରେ କିଛି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ବୋଲି ରୋହିତ ପୋଲିସ ନିକଟରେ ସଫେଇ ଦେଇଛି । ରଘୁନାଥ ପାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି । ତେବେ ପୋଲିସ ଅନ୍ୟ ସମସ୍ତ ଦିଗକୁ ଲକ୍ଷ ରଖି ତଦନ୍ତ ଆରମ୍ଭ କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ