ସୁନ୍ଦରଗଡ : ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ଆତଙ୍କ । ସ୍ପଷ୍ଟ ଦିବା ଆଲୋକରେ ମାରଣାସ୍ତ୍ର ଦେଖାଇ କରୁଛନ୍ତି ଲୁଟ । ଆଜି(ମଙ୍ଗଳବାର) ଭୋର ସମୟରେ ଏକ ମ୍ୟାକ୍ସ ପିକଅପ ଗାଡିକୁ କରମ ଡିହି ନିକଟ ରାଜପଥ10ରେ ଅଟକାଇଥିଲେ ଲୁଟେରା । ଭୁଜାଲିରେ ଆକ୍ରମଣ କରିବା ସହ 70 ହଜାର ଲୁଟି ଫେରାର ମାରିଛନ୍ତି । ସ୍ଥାନୀୟ ଲୋକେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆହତ ଚାଳକଙ୍କ ନାଁ ହେଉଛି ଡେଭିଡ ଭାଗବତ । ଡେଭିଡଙ୍କ ସହ ତାଙ୍କ ସହଯୋଗୀ ଚାଳକ କେଶବ ଲାଲଙ୍କୁ ମଧ୍ୟ ଲୁଟେରାମାନେ ଆକ୍ରମଣ କରି ମାଡ ମାରିଥିଲେ । ଡେଭିଡ ଓ କେଶବଙ୍କ ଘର ଛତିଶଗଡ ରାଜ୍ୟ ଯଶପୁର ଜିଲ୍ଲାର ପଥଲ ଗାଁଓ ବୋଲି ସଦର ପୋଲିସ କହିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ଏମାନେ ପଥଲଗାଁଓ ଯାଉଥିବାବେଳେ ଲୁଟେରାମାନେ ରୋଡ ବ୍ରେକର ନିକଟରେ ଏହି କାଣ୍ଡ ଘଟାଇଥିଲେ । ଗତ 31 ଜାନୁଆରୀରେ ରାଜଗାଙ୍ଗପୁର ନିକଟ ରାଜପଥ 10ର ଜାମପାଲି ନିକଟରୁ ଲୁଟେରାମାନେ ଜଣେ ଟ୍ରକ ଡ୍ରାଇଭରଙ୍କ ଠାରୁ ଲୁଟ କରିଥିଲେ ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ