ରାଉରକେଲା : ନିଯୁକ୍ତି ଦିଅ ନହେଲେ ଜମି ଫେରାଅ । ଏଭଳି ନାରାବାଜି ଦେଇ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି 32ମୌଜା ବିସ୍ଥାପିତ ପରିବାର । ଏଥିରେ ହଜାର ହଜାର ସଂଖ୍ୟାର ବିସ୍ଥାପିତ ପରିବାର ସାମିଲ ହୋଇଛନ୍ତି । ତେବେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନାନୁସାରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମନ୍ଦିରାଡ୍ୟାମ ନିର୍ମାଣ ସମୟରେ ଜମି ଅଧିଗ୍ରହଣ କରାଯାଇଥିଲା । ଏଥିରେ ବହୁ ଲୋକ ବିସ୍ଥାପିତ ହୋଇଥିଲେ । କିନ୍ତୁ ଆଜି ଯାଏଁ ବିସ୍ଥାପିତ ପରିବାରଙ୍କୁ ତାଙ୍କ ଜମି ମିଳିନି କି କୌଣସି ହିତାଧିକାରୀଙ୍କୁ ଇସ୍ପାତ କାରଖାନାରେ ଚାକିରି ମିଳିପାରିନି । ଏନେଇ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି ହଜାରେରୁ ଊର୍ଦ୍ଧ୍ବ ବିସ୍ଥାପିତ ପରିବାର ।
ବିସ୍ଥାପିତଙ୍କୁ ଚାକିରି ଏବଂ ବଳକା ଜମି ଫେରସ୍ତ କରିବା ପାଇଁ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଥିଲେ ଆନ୍ଦୋଳନକାରୀ । ଏନେଇ 2021 ମସିହାରେ ହାଇକୋର୍ଟ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ 3ମାସ ମଧ୍ୟରେ ସମସ୍ତଙ୍କ ଦାବିକୁ ଧ୍ୟାନ ଦେଇ ଏହି ସମସ୍ୟାର ସମାଧାନ କରିବାକୁ ।
ଏହାପରେ 22 ମାର୍ଚ୍ଚ 2022ରେ ସୁନ୍ଦରଗଡ଼ ଜିଲ୍ଲାପାଳ ଏକ ଶୁଣାଣି କରି 1015 ଜଣ ବିସ୍ଥାପିତଙ୍କୁ ଚାକିରି ପ୍ରଦାନ କରାଯିବା । କିନ୍ତୁ ଏହାରି ମଧ୍ୟରେ କୌଣସି ବିସ୍ଥାପିତଙ୍କ ପାଇଁ ପ୍ରଶାସନ ପକ୍ଷରୁ ଚାକିରି ଦିଆଯିବାର ବ୍ୟବସ୍ଥା ହୋଇନାହିଁ । ବରଂ ସମସ୍ତଙ୍କ ନାମ ସ୍ଥଗିତ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି 32ମୌଜା ବିସ୍ଥାପିତ ପରିବାରମାନେ ।
ଏନେଇ ବାରମ୍ବାର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ଏପରିକି ଏସପି, ଏଡିଏମଙ୍କ ପାଖରେ ମଧ୍ୟ ବିସ୍ଥାପିତ ପରିବାର ସେମାନଙ୍କ ସମସ୍ୟା ନେଇ ଗୁହାରି କରିଛନ୍ତି । ତଥାପି ସେମାନଙ୍କୁ ଆଜି ଯାଏଁ ନ୍ୟାୟ ମିଳିନଥିବା କହିଛନ୍ତି । ତେବେ ଦାବି ପୂରଣ ନହେଲେ ଆଗକୁ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
32 ମୌଜା ବିସ୍ଥାପିତ ପରିବାରଙ୍କ ୩ଟି ଦାବି ରହିଛି, ଯେଉଁ 1015 ଜଣ ପିଲାଙ୍କ ଚାକିରି ପ୍ରଦାନ କରିବାକୁ ଦରଖାସ୍ତ ସ୍ଥଗିତ ରଖାଯାଇଛି ତାକୁ ତୁରନ୍ତ ଭେରିଫାଏ କରି ଚାକିରି ଦିଆଯାଉ, ଚାକିରି ପାଇଁ ଯେଉଁ ଦରଖାସ୍ତ ରଖାଯାଇଛି ତାହାର ମଧ୍ୟ ତୁରନ୍ତ ଅନୁମୋଦିତ କରାଯାଉ, ଯେଉଁମାନଙ୍କୁ ଚାକିରି ଦିଆଗଲା ବା ଜମି ଦିଆଗଲା ତାହା ମଧ୍ୟ ଲିଖିତ ଆକାରରେ କାରଖାନା ପକ୍ଷରୁ ଦିଆଯାଉ ।
ଏହି ଦାବି ନେଇ ଆଜି ହଜାର ହଜାର ବିସ୍ଥାପିତ ପରିବାର ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି । ଯଥାସମ୍ଭବ ବିସ୍ଥାପିତଙ୍କୁ ବଳକା ଜମି ଫେରସ୍ତ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି ସୁଯୋଗ ଦିଆଯାଉ । ନଚେତ୍ ଆଗାମୀ ଦିନରେ ଏହି ବିକ୍ଷୋଭ ବଡ଼ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ ପରିବାର ।
ଇଟିଭି ଭାରତ, ରାଉରକେଲା