ସୁବର୍ଣ୍ଣପୁର: ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ ଦିନ ଯୁକ୍ତି ତିନି ନାମଲେଖା ପ୍ରକ୍ରିୟା ବନ୍ଦ କରିବାକୁ ପଶ୍ଚିମ ଓଡିଶା ଯୁବା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏହି ଗଣପର୍ବ ସହିତ ପଶ୍ଚିମ ଓଡି଼ଶାର ଭାବାବେଗ ଜଡିତ ଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି ପଶ୍ଚିମ ଓଡି଼ଶା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ମଞ୍ଚ ଅଭିଯୋଗ କରିଛି । ଏ ନେଇ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ନୂଆଖାଇ ଦିନ ନାମଲେଖା ଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ପଶ୍ଚିମ ଓଡି଼ଶାବାସୀ ବେଶ ଆନନ୍ଦ ଉଲ୍ଲାସର ସହିତ ଏହି ପର୍ବ ପାଳନ କରିଥାନ୍ତି । ଏହି ଦିନ ବର୍ଷର ପହିଲି ଶସ୍ୟକୁ ଚାଷୀ ନିଜ ଇଷ୍ଟ ଦେବାଦେବୀଙ୍କ ପାଖରେ ସମର୍ପଣ କରିବା ପରେ ନବାନ୍ନ ଗ୍ରହଣ କରିଥାଏ । ଏହି ଅବସରରେ ଗାଁରୁ ସହର ସବୁଠାରେ ଖାଇବା ପିଇବା, ନାଚ ଗୀତ, ଖେଳକୁଦ ଓ ନୂଆଖାଇ ଭେଟଘାଟର ଆୟୋଜନ ଦେଖିବାକୁ ମିଳିଥାଏ । ଛୁଆରୁ ବୃଦ୍ଧ ସଭିଏଁ ଏକ ଆନନ୍ଦର ମାହୋଲ ଭିତରେ ଏହି ପର୍ବ ପାଳନ କରିଥାନ୍ତି ।
ବାଦବିବାଦ, ଶତ୍ରୁତା ଭୁଲି ସଭିଏଁ ପୁଣି ସାମାଜିକ ସଂପର୍କ ରକ୍ଷା କରିବାରେ ଏହି ଦିନଟି ଅତିବାହିତ କରିଥାନ୍ତି । ଏହି ଦିନ ସରକାରଙ୍କ ପକ୍ଷରୁ ବି ଛୁଟି ଘୋଷଣା କରାଯାଇଛି । ହେଲେ ସେହିଦିନଠାରୁ ଯୁକ୍ତ ତିନି ନାମ ଲେଖା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯାହା ଦୁର୍ଭାଗ୍ୟଜନକ ବୋଲି ସ୍ବେଚ୍ଛାସେବୀମାନେ ଅଭିଯୋଗ କରିଛନ୍ତି । ଏନେଇ ପଶ୍ଚିମ ଓଡିଶା ଯୁବା ମଞ୍ଚ ସୁବର୍ଣ୍ଣପୁର ଶାଖା ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଏହାସହିତ ତୁରନ୍ତ ନାମ ଲେଖା ତାରିଖ ବଦଳାଇବାକୁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ