ସୁବର୍ଣ୍ଣପୁର: ସହରର ନଳିନୀ ଛକରୁ ଟ୍ରାଫିକ ପୋଲିସ ଏକ 9 ବର୍ଷର ବାଳିକାକୁ ଉଦ୍ଧାର କରିଛି । ବାଳିକା ଜଣକ ଟ୍ରାଫିକ ପାଖରେ କାନ୍ଦୁଥିବା ସମୟରେ ଟ୍ରାଫିକ ପୋଲିସ ପ୍ରତିମା ବଗର୍ତ୍ତି ଓ ସୁନିତା ପାତ୍ରଙ୍କ ନଜର ପଡିଥିଲା । ଝିଅଟିକୁ ପଚରାଉଚୁରା କରିବା ପରେ କେହି ଜଣେ ଅପହରଣ କରିବା ପରେ ଆଣି ଛାଡି ଦେଇଥିବା ଜଣାପଡିଛି । ଟ୍ରାଫିକ ପୋଲିସ ଥାନାରେ ଝିଅଟିକୁ ଜିମା ଦେଇଛନ୍ତି ।
ପୋଲିସ ଅପହୃତା ନାବାଳିକାର ଠିକଣା ଖୋଜିବା ସହିତ ଜିଲ୍ଲାର ଶିଶୁ ସୁରକ୍ଷା କମିଟି ଓ ଚାଇଲ୍ଡ ଲାଇନକୁ ଖବର ଦେଇଛି । ନାବାଳିକାର ବୟାନ ଅନୁଯାୟୀ, ଜଣେ ଯୁବକ ତାଙ୍କୁ ଭୁଲେଇ ନେଇଆସିଛି । ତେବେ ଝିଅଟି ଉତ୍ତରପ୍ରଦେଶର ଜୋନପୁର ନିକଟବର୍ତ୍ତୀ ତୁତିପୁର ଗାଁର ଓ ତା’ ନାଁ ଖୁସି କୁମାରୀ ବିନ୍ଦ ବୋଲି କହିଛି । ତାଙ୍କ ବାପାଙ୍କ ନାଁ ରମେଶ ବିନ୍ଦର ହୋଇଥିବା ବେଳେ ତାଙ୍କର ଅନେକ ଆଗରୁ ମୃତ୍ୟୁ ହୋଇଯାଇଥିବା ଝିଅଟି କହିଛି । ତେବେ ସ୍ବୟଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉତ୍ତରପ୍ରଦେଶ ପୋଲିସ ସହିତ ଯୋଗାଯୋଗ କରି ଝିଅଟିକୁ ତା’ର ଘରକୁ ପହଞ୍ଚାଇବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର