ସୁବର୍ଣ୍ଣପୁର: ଗଣେଶ ପୂଜା ଭସାଣି ଶୋଭାଯାତ୍ରାବେଳେ ଗୋଷ୍ଠୀ ସଂଘର୍ଷ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢି ଗାଁରେ ଘଟିଛି ଏଭଳି ଘଟଣା । ସବର୍ଣ୍ଣ ଓ ଅସବର୍ଣ୍ଣ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ଉଭୟ ଗୋଷ୍ଠୀର 15 ଜଣ ଲୋକେ ଆହତ ହୋଇଛନ୍ତି । ମାମଲା ଏବେ ଯାଇ ଥାନାରେ ପହଞ୍ଚିଛି ।
ମୁର୍ଷୁଣ୍ଢି ଗାନ୍ଧୀପଡା ଯୁବକ ଜ୍ୟୋତି ଯୁବକ ସଂଘ ପକ୍ଷରୁ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା କରାଯାଇଥିଲା । ଗତକାଲି ସଂଧ୍ୟାରେ ଗଣେଜ ପୂଜା ଭସାଣୀ ଗାନ୍ଧୀ ପଡାରୁ ବାହାରି ମୁର୍ଷୁଣ୍ଢି ଗାଁ ପରିକ୍ରମା କରି ଟିକିରିପଡାରେ ପହଞ୍ଚିବା ସମୟରେ ସେଠାରେ ଗଣ୍ଡଗୋଳ ହୋଇଥିଲା । ଟିକିରିପଡାର କିଛି ଯୁବକ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବାରୁ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ତେବେ ପାଟିତୁଣ୍ଡ ଶେଷରେ ଉଗ୍ର ରୂପ ନେଇଥିଲା । ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ମାଡପିଟ ହୋଇଥିଲା ।
ଏହି ମାଡପିଟରେ ଉଭୟ ପକ୍ଷରୁ 15ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ତେବେ ଗଣ୍ଡଗୋଳ ପରେ ଗାନ୍ଧୀପଡାର ଆହତମାନେ ବୀରମହାରାଜପୁର ଥାନାରେ ପହଞ୍ଚି ମାମଲା ଦାୟର କରିଛନ୍ତି । ଘଟଣା ପରେ ବୀରମହାରାଜପୁର ପୋଲିସ ମୁର୍ଷୁଣ୍ଢି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି । ଶେଷ ଖବର ସୁଦ୍ଧା ଏହି ଗୋଷ୍ଠୀ ସଂଘର୍ଷରେ ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ