ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ସହର ସାରା କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖିବାକୁ ମିଳୁଛି । ରାସ୍ତା ଗୁଡ଼ିକର ଉଭୟ ପାର୍ଶ୍ଵରେ ଥିବା ଡ୍ରେନ ଗୁଡିକ ସଫା କରାଯାଉଥିଲେ ବି ରାସ୍ତା କଡର ହିଁ ଆବର୍ଜନା ଅନେକ ଦିନ ଯାଏଁ ଶୁଖିବା ପାଇଁ ପକେଇ ଦିଆଯାଉଥିବାରୁ ପରିବେଶ ଦୁର୍ଗନ୍ଧମୟ ହେଉଛି । ଲୋକେ ମଧ୍ୟ ଆବର୍ଜନା ତୁରନ୍ତ ନେଇଯିବା ପାଇଁ ଦାବି କଲେ ବି ସଫେଇ ଦାୟିତ୍ବରେ ଥିବା ପୌର କର୍ମଚାରୀ ଶୁଣୁ ନଥିବା ଅଭିଯୋଗ ହୋଇଛି ।
ସେହିପରି ସହରର ତେଲନଦୀର ପ୍ରବେଶ ପଥରେ ଉଭୟ ପାର୍ଶ୍ଵକୁ ଯାଇଥିବା ରିଂରୋଡ଼ରେ ମଧ୍ଯ ପାହାଡ଼ ପରି ଆବର୍ଜନା ପକାଯାଉଛି । ଫଳରେ ସହରକୁ ପ୍ରବେଶ କରୁ କରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ଆଖି ଆବର୍ଜନା ଉପରେ ପଡୁଛି । ତେବେ ସାରା ସହରର 15ଟି ଯାକ ୱାର୍ଡ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ସଫେଇ କାର୍ଯ୍ୟ ଘରୋଇକରଣ କରାଯାଇଛି । ପ୍ରତିଦିନ 98 ଜଣ ସଫେଇ କର୍ମଚାରୀ ନିୟୋଜିତ ହେଉଛନ୍ତି । ହେଲେ ପ୍ରତି ୱାର୍ଡ ପ୍ରତିଦିନ ସଫେଇ କରାଯାଇ ପାରୁନାହିଁ । ପ୍ରାୟ ଦୁଇ ଗୁଣ ସଫେଇ କର୍ମଚାରୀଙ୍କୁ ନିୟୋଜିତ କଲେ ସହରଟି ପରିଷ୍କାର ପରିଚ୍ଛନ୍ନ ରଖାଯାଇ ପାରିବ ।
ତେବେ ଏହି ଐତିହାସିକ ସହରକୁ ପ୍ରତ୍ୟହ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟ ଓ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ ପାଇଁ ଆସୁଥିବା ବେଳେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦେଖି ନିରୁତ୍ସାହିତ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି । ତେବେ ପୌର ପରିଷଦ ସହରର ସୌନ୍ଦର୍ଯ୍ୟ କରଣ ଓ ପରିଷ୍କାର ପରିଚ୍ଛନ୍ନତା ଦିଗରେ ଧ୍ୟାନ ଦେବାକୁ ଦାବି ହେଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ