ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ଆଗରେ ଦାବି ଉପସ୍ଥାପନ କଲେ ବୁଣାକାର । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବୁଣାକାରମାନେ ଜିଲ୍ଲା ପ୍ରଶାସନ ଆଗରେ ନିଜ ଦାବି ଉପସ୍ଥାପନ କରିଛନ୍ତି।
ବୁଣାକାର ନେତା ଧୋବେଇ ମେହେରଙ୍କ ନେତୃତ୍ୱରେ ଶତାଧିକ ବୁଣାକାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁବଲୟା, ପିତାମହୁଲ, କମିରା, ସଂଗ୍ରାମପୁର ଓ ଖଣ୍ଡହତା ସମେତ ପାଞ୍ଚୋଟି ଗ୍ରାମ ପଞ୍ଚାୟତର ବୁଣାକାରମାନେ ଘୋର ଆର୍ଥିକ ସଂକଟରେ ରହୁଥିବା ଅଭିଯୋଗ କରିଛନ୍ତି।
କୋରୋନା ସଂକ୍ରମଣ ପାଇଁ ଲକଡାଉନ ଯୋଗୁଁ ବୁଣାକାରମାନେ ରୋଜଗାର କରି ପାରିନାହାଁନ୍ତି। ଏପରିକି ଉତ୍ପାଦିତ ବସ୍ତ୍ର ବିକ୍ରି ନହୋଇ ପଡି ରହିଥିବାବେଳେ ବସ୍ତ୍ର ତିଆରି ପାଇଁ ଆବଶ୍ୟକ ସୂତା ମଧ୍ୟ ମିଳି ପାରି ନଥିବା ବୁଣାକାରମାନେ କହିଛନ୍ତି ।
ବୁଣାକାରଙ୍କୁ ଅଳ୍ପ ମୂଲ୍ୟରେ ସୂତା ଯୋଗାଇବା, ଉତ୍ପାଦିତ ବସ୍ତ୍ର ବିକ୍ରି, ଖାଦ୍ୟ ସୁରକ୍ଷା ଯୋଜନାରେ ବୁଣାକାର ପରିବାର ଅନ୍ତର୍ଭୁକ୍ତ କରିବା, ମାଗଣା ଚିକିତ୍ସା, ପୁଅଝିଅଙ୍କୁ ଛାତ୍ର ବୃତ୍ତି ଆଦି ନଅ ଦଫା ଦାବି ପୂରଣ ପାଇଁ ବୁଣାକାରମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ