ସୁବର୍ଣ୍ଣପୁର: ଜିଲ୍ଲା ତରଭା ବ୍ଲକ ଅଇଁଲାପାଲି ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି ଜଣାଇଲେ ଚାଷୀ । ଗତବର୍ଷରୁ ଏହି ପ୍ରକଳ୍ପ ଅଚଳ ହୋଇପଡି଼ଥିବାରୁ ଚାଷୀମାନେ ଜଳସେଚନର ସୁବିଧା ପାଇ ପାରୁନାହାଁନ୍ତି । ଆଉ ଏ ନେଇ ବାରମ୍ବାର ଦାବି ଜଣାଇବା ସତ୍ତ୍ବେ ବିଭାଗ ନୀରବ ରହିଛି ।
ଅନିୟମିତ ବର୍ଷା ଯୋଗୁ ଖରିଫ ଧାନ ଫସଲ ମରିବାକୁ ବସିଲାଣି । ଫଳରେ ଚାଷୀମାନେ ନୂତନ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ଭେଟି ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି । ଏହି ପ୍ରକଳ୍ପରୁ 2ଟି ପଞ୍ଚାୟତ ପ୍ରାୟ 17ଟି ମୌଜାର ଚାଷୀମାନେ ଜଳସେଚନର ସୁବିଧା ପାଇପାରିବେ ।
ଗତ ତିନି ବର୍ଷ ତଳେ ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ । ଚିର ମରୁଡି ପ୍ରପୀଡିତ ଅଞ୍ଚଳରେ ଚାଷୀମାନଙ୍କ ଦାବିକୁ ପୂରଣ କରାଯାଇଥିଲା । ହେଲେ ଆରମ୍ଭ ଦିନରୁ ଦୂରେଇ ଯାଇଛି ପ୍ରକଳ୍ପର ଲକ୍ଷ୍ୟ । 3 ହଜାର ଏକରରୁ ଅଧିକ ଜମିରେ ତିଆରି ହୋଇଥିବା ଏହି ପ୍ରକଳ୍ପ ଫେଲ ମାରିବା ଅଭିଯୋଗ କରିବା ପରେ ମେଗା ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ