ସୁବର୍ଣ୍ଣପୁର: ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଜଗଜ୍ଜନନୀ ମାତା ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ବରବେଶରେ ବାହାରିଛନ୍ତି । ପାର୍ବତୀ ପାଣି ଗ୍ରହଣ ପାଇଁ ପିତାଙ୍କ ବାସଭବନକୁ ଆସିଛନ୍ତି । ବୁଧବାର ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବର ମାତା ପିତା ଚନ୍ଦ୍ରଶେଖର ମନ୍ଦିରକୁ ପହଞ୍ଚି ବାବାଙ୍କୁ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।
ପାରମ୍ପରିକ ରୀତିନୀତିରେ ପୂଜା ଆରାଧନା କରିବା ପରେ ବାବା ଚନ୍ଦ୍ରଶେଖର ମାତାପିତାଙ୍କ ବାସଭବନକୁ ଯିବାପାଇଁ ଏକ ସୁସଜ୍ଜିତ ରଥକୁ ପଦାର୍ପଣ କରିଥିଲେ। ସହରର ଭଗବତୀ ପଡାର ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରରୁ ଏହି ଶୋଭାଯାତ୍ରା ବାହାରି ଦୁର୍ଗାମଣ୍ଡପ ଛକ ,ବଡବଜାର ,ବସଷ୍ଟାଣ୍ଡ ,ଘୋଡାଘାଟପଡା ଓ ଆମ୍ବେଦକର ଛକ ଦେଇ ଶାନ୍ତିନଗରରେ ପହଞ୍ଚିଥିଲେ । ବର ପିତାମାତାଙ୍କ ଦୁଆରରେ ବାବା ଚନ୍ଦ୍ରଶେଖରଙ୍କୁ ବନ୍ଦାପନା କରିବା ସହିତ ଘରକୁ ପିତାମାତା ଓ ବନ୍ଧୁବର୍ଗ ପାଛୋଟି ନେଇଛନ୍ତି ।
ଆସନ୍ତାକାଲି ବାବା ଚନ୍ଦ୍ରଶେଖରଙ୍କ ପକ୍ଷରୁ ମା ପାର୍ବତୀଙ୍କ ପାଇଁ ଅଳଙ୍କାର ଧାରଣ ପର୍ବ ଆୟୋଜନ କରାଯିବ । ଏହା ପରଦିନ ବାବା ଚନ୍ଦ୍ରଶେଖର ଅଷ୍ଟବିଷ୍ଣୁ ଓ ଅଷ୍ଟଶମ୍ଭୁଙ୍କୁ ବରଯାତ୍ରୀ ଦଳରେ ସାମିଲ କରି ଦେବୀ ମା ପାର୍ବତୀଙ୍କ ପାଣି ଗ୍ରହଣ କରିବା ପାଇଁ କନ୍ୟାମାତାଙ୍କ ବାସଭବନକୁ ଯିବେ । ଚଳିତ ବର୍ଷ ବାବା ଚନ୍ଦ୍ରଶେଖରଙ୍କ ପିତାମାତା ଭାବେ ସହରର ଶାନ୍ତିନଗର ପଡାର ରାଲୀ ରାଣୀ ଓ ଅର୍ଜୁନ ରଥ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ସୁବର୍ଣ୍ଣପୂରରୁ ତାର୍ଥବାସୀ ପଣ୍ଡା, ଇଟିଭି ଭାରତ