ସୁବର୍ଣ୍ଣପୁର:ଅଯୋଧ୍ୟାରେ ପବିତ୍ର ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ପର୍ବ ପାଇଁ ସୁବର୍ଣ୍ଣପୁରରୁ ପବିତ୍ର ମୃତ୍ତିକା ଜଳ ସଂଗ୍ରହ କରାଯାଇଛି । ସହରର ରାମେଶ୍ବର କମିଟି ପକ୍ଷରୁ ସଙ୍ଗମ ସ୍ଥଳରୁ ମୃତ୍ତିକା ଓ ଜଳ ସଂଗ୍ରହ କରାଯାଇ ପାରମ୍ପରିକ ରୀତିନୀତିରେ ପୁଜା ଆରାଧନା କରାଯାଇଛି । ଚିରସ୍ରୋତା ମହାନଦୀ ,ତେଲନଦୀ ଓ କର୍ପୂର ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରୁ ରାମ ମନ୍ଦିର ଶିଳାନ୍ୟାସ ପାଇଁ ମୃତ୍ତିକା ଓ ଜଳ ସଂଗ୍ରହ କରି ପଠାଯାଇଛି ।
ଦ୍ବିତୀୟ ବାରାଣସୀ ଭାବେ ପରିଚିତ ସଙ୍ଗମ ସ୍ଥଳରେ ବୁଧବାର ବୈଦିକ ରୀତିନୀତିରେ ପୂଜା ଆରାଧନା କରାଯାଇ ଦୁଇଟି କଂସା ଗଡୁ ପାତ୍ରରେ ମୃତ୍ତିକା ଓ ଜଳ ସଂଗ୍ରହ କରାଯାଇଥିଲା । କମିଟିର ସଭାପତି ଗଦାଧର ବାରିକଙ୍କ ନେତୃତ୍ବରେ ଶ୍ରଦ୍ଧାଳୁମାନେ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେଇ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ହରିବୋଲ ପକାଇ ,ଘଣ୍ଟ ଘଣ୍ଟା ବଜାଇ ମାଟି ପାଣି ସଂଗ୍ରହ କରି ଅଯୋଧ୍ୟା ରାମ ମନ୍ଦିର ଶିଳାନ୍ୟାସ ପର୍ବ ପାଇଁ ପଠାଇଛନ୍ତି । ତେବେ ଜିଲ୍ଲାରେ ଲକଡାଉନ ହେଉଥିବାରୁ ଏହି କାର୍ଯ୍ୟକ୍ରମ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ସମ୍ପନ୍ନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାମେଶ୍ବର କମିଟିର କାର୍ଯ୍ୟକର୍ତାମାନେ ବେଶ ଆନନ୍ଦ ଅନୁଭବ କରିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ