ସୁବର୍ଣ୍ଣପୁର: ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ପରିମଳ ବ୍ୟବସ୍ଥା । ଦୁଇଦିନ ହେବ ସଫେଇ କର୍ମଚାରୀ କାମ ବନ୍ଦ ରଖିଥିବାରୁ ଦୁଇ ଦିନ ଭିତରେ ସହର ଆବର୍ଜନାମୟ ହୋଇ ପଡିଛି । ସଫେଇ କର୍ମଚାରୀଙ୍କ ଇପିଏଫ ଟଙ୍କା ଜମା କରାଯାଉ ନଥିବାରୁ ଦୁଇଦିନ ହେବ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।
ସଦର ପୌର ପରିଷଦ ପକ୍ଷରୁ ସଫେଇ ଯୋଜନାକୁ ଘରୋଇ କରଣ କରାଯାଇଛି । ଭୁବନେଶ୍ବରର ଏମ ପାୱାର କମ୍ପାନୀ ସହରର ସମସ୍ତ 15 ଗୋଟି ୱାର୍ଡରେ ସଫେଇ କାର୍ଯ୍ୟ ହାତକୁ ନେଇଛି । ହେଲେ ଆବଶ୍ୟକ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ହୋଇ ନ ଥିବା ବେଳେ କମ ସଂଖ୍ୟକ ସଫେଇ କର୍ମଚାରୀଙ୍କ ସହଯୋଗରେ ସଫେଇ କାର୍ଯ୍ୟ ଚାଲିଛି । ଫଳରେ ପ୍ରତିଦିନ ପ୍ରତିଟି ୱାର୍ଡ ସଂପୂର୍ଣ୍ଣ ଭାବେ ପରିଷ୍କାର ପରିଛନ୍ନ କରାଯାଇ ପାରୁନାହିଁ ।
ତେବେ ଗତ ପ୍ରାୟ 15 ମାସ ହେଲା ସଫେଇ କର୍ମଚାରୀଙ୍କ ଇପିଏଫ ଟଙ୍କା ଜମା କରାଯାଉ ନ ଥିବାରୁ ଆଜକୁ ଦୁଇ ଦିନ ହେଲା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସଫେଇ କର୍ମଚାରୀମାନେ ପୌର ପରିଷଦକୁ ପାହାନ୍ତିଆରୁ ଆସୁଥିବା ବେଳେ ସଫେଇ କାର୍ଯ୍ୟରେ ଯୋଗ ନ ଦେଇ ଘରକୁ ଫେରି ଯାଉଛନ୍ତି । ତେବେ ସଫେଇ କର୍ମଚାରୀଙ୍କ ଇପିଏଫ ଟଙ୍କା ଜମା ନ ହେବା ଯାଏଁ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି । ଏ ସଂପର୍କରେ ପୌର ପରିଷଦ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ