ସୁବର୍ଣ୍ଣପୁର: ଷୋହଳ ଭରନୀ ବାଦ୍ୟ, ଶୁଣିଲେ ଶିହରୀ ଉଠେ ଦେହ ମନ । ବିଶେଷକରି ତନ୍ତ୍ର ପୀଠ ସୁବର୍ଣ୍ଣପୁରରେ ତନ୍ତ୍ର ପୂଜାରେ ବାଜେ ଏହି ବାଦ୍ୟ। ଐତିହାସୀକ ବଳିଯାତ୍ରା ସମୟରେ ଷୋହଳ ଭରନୀ ବାଦ୍ୟର ତାଳେ ତାଳେ ବଳୀ ନୃତ୍ୟ କରେ । ଆଉ ସେହି ବାଦ୍ୟରେ ବ୍ୟବହାର ହୋଇଥାଏ ଅଲୌକିକ ମହିମାର ଚେପଟା ଢୋଲ । ଷୋହଳଭରନୀ ବାଦ୍ୟର ଗୁରୁଗମ୍ଭୀର ଧ୍ବନିରେ ବରୁଆ ଦେହରେ ଦେବୀ ପ୍ରକଟିତ ହୋଇଥାନ୍ତି । ତନ୍ତ୍ର ପଦ୍ଧତିରେ ରାଜପୁରୋହିତ ବରୁଆକୁ ଯନ୍ତ୍ର ଉପରେ ବସାଇ ମନ୍ତ୍ରପୂତ କରିବା ପରେ ବରୁଆ ଶରୀରରେ ଦେବୀ ଆବିର୍ଭାବ ହୋଇଥାନ୍ତି । ଢୋଲିଆମାନଙ୍କର ଷୋହଳ ଭରନୀ ବାଦ୍ୟ ସାଙ୍ଗକୁ ଚାରିଘରିଆଙ୍କ ବୁବିରେ ଝୁମି ଉଠେ ବଳି । ଷୋହଳ ଭରନୀର ମଧୁର ଗୁରୁଗମ୍ଭୀର ଧ୍ବନି ସାଙ୍ଗକୁ ମାଲେଶ୍ରୀ ରାଗରେ ସୃଷ୍ଟି ହୋଇଥାଏ ଏକ ଆଧ୍ୟାତ୍ମିକ ପରିବେଶ । ଯାହା ଏହି ଅନନ୍ୟ ବଳିଯାତ୍ରାର ଆକର୍ଷଣ।
ରାଜା ରାଜୁଡା ଅମଳରୁ ଏହି ବଳୀଯାତ୍ରାରେ ଷୋହଳ ଭରନୀ ବାଦ୍ୟ ପାଇଁ ନିୟୋଜିତ ଅଛନ୍ତି ଏକ ନିର୍ଦ୍ଧିଷ୍ଟ ଜାତିର ସେବାୟତ । ଏହି ଯାତ୍ରାରେ ବ୍ୟବହାର ହେଉଥିବା ପାଟ ଢୋଲଟି ଶହ ଶହ ବର୍ଷର ପୁରୁଣା । ଚେପଟା ଢୋଲ ସାଙ୍ଗକୁ ପାଞ୍ଚୋଟି ଢୋଲ ଓ ମାଳେଶ୍ରୀ ରାଗର ମୂର୍ଚ୍ଚନାରେ ମହୁରୀର ସ୍ବରରେ ପ୍ରକମ୍ବିତ ହୋଇଥାଏ ଖମ୍ବେଶ୍ବରୀ ଦେବୀଙ୍କ ମୁଖଶାଳା । ଏହି ଲୋକବାଦ୍ୟରେ କିନ୍ତୁ ନିଶାନ ଅବା ତାସା ପରି ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ବ୍ୟବହାର ହୋଇ ନ ଥାଏ ।
ଖାଡି ପରେ ଖାଡି ଅର୍ଥାତ ଷୋହଳ ପ୍ରକାରର ବାଦ୍ୟସମୂହର ଧ୍ବନିରେ ଅଷ୍ଟାଙ୍ଗ ଯୋଗର ସବୁ ତତ୍ତ୍ବ ଉପରେ ଆଧାରିତ ବଳିର ଦେହ ମନ ଝୁମି ଉଠେ । ବେଳେ ବେଳେ ଷୋହଳଭର୍ଣ୍ଣି ବାଦ୍ୟର ତାଳେ ତାଳେ ଉପବାସରେ ଥିବା ଶ୍ରଦ୍ଧାଳୁମାନେ ବି ଝୁମି ଉଠନ୍ତି । ଯାହା କେବଳ ଏହି ବଳିଯାତ୍ରାରେ ଦେଖିବାକୁ ମିଳେ । ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ବରେ ଷୋହଳ ଭରନୀ ବାଦ୍ୟର ପ୍ରମୁଖ ଭୂମିକା ରହିଛି । ଏହି ଐତିହାସିକ ବଳିଯାତ୍ରାରେ ଢୋଲର ଷୋହଳ ଭରନି ବାଦ୍ୟ ଏହି ପର୍ବକୁ ବେଶ ଆକର୍ଷଣୀୟ କରିଥାଏ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ