ସୁବର୍ଣ୍ଣପୁର: ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସୁବର୍ଣ୍ଣପୁରରେ ଶେଷ ହୋଇଛି ଶୀତଳ ଷଷ୍ଠୀ ଯାତ୍ରା । ଭକ୍ତଜନଙ୍କୁ ଯୁଗଳ ଦର୍ଶନ ଦେବା ପରେ ମାତା ପାର୍ବତୀଙ୍କ ସହ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି ଶିବଶମ୍ଭୁ । ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତୀମା ବାବା ଚନ୍ଦ୍ରଶେଖର ଦେବୀ ପାର୍ବତୀଙ୍କ ପାଣି ଗ୍ରହଣ କରି ଶୁକ୍ରବାର ଶୋଭାଯାତ୍ରାରେ ମନ୍ଦିରକୁ ଘେନି ଆସିଛନ୍ତି । ଗତ ଜ୍ୟେଷ୍ଠ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ ଦେବ ଦମ୍ପତି କନ୍ୟାପିତାଙ୍କ ବାସଭବନରେ ଦିନକ ପାଇଁ ଅବସ୍ଥାନ କରି ଶ୍ରଦ୍ଧାଳୁମାନଙ୍କୁ ଯୁଗଳମୂର୍ତ୍ତି ଦର୍ଶନ ଦେଇଥିଲେ ।
ଅଷ୍ଟମୀ ତିଥିର ସନ୍ଧ୍ୟାରେ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ଦେବ ଦମ୍ପତି ନଗର ପରିକ୍ରମା କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ସହିତ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଶୋଭାଯାତ୍ରାରେ ବିଭିନ୍ନ ଜିଲ୍ଲାର ବହୁ ସାଂସ୍କୃତିକ ଦଳ ସାମିଲ କରିଥିଲେ । ଶିବଶମ୍ଭୁ ଓ ମାତାଙ୍କ ଦର୍ଶନାର୍ଥେ ଶୋଭାଯାତ୍ରାକୁ ଜିଲ୍ଲା ତଥା ଜିଲ୍ଲା ବାହରର ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଏହି ସମୟରେ ଦେବ ଦମ୍ପତିଙ୍କୁ ସହରର ଶତାଧିକ ଦ୍ବାରରେ ପୂଜା ଆରାଧନା କରାଯାଇଥିଲା । ପାରମ୍ପରିକ ଘଣ୍ଟବାଦ୍ୟ, ପଶ୍ଚିମ ଓଡ଼ିଶାର ଲୋକବାଦ୍ୟ, ଆଧୁନିକ ବ୍ୟାଣ୍ଡ ସମେତ ପଶ୍ଚିମ ଓଡିଶାର ଲୋକକଳାରେ ଭରପୁର ବିଭିନ୍ନ ନୃତ୍ୟ ଗୀତ ଦଳ ଏଥିଲେ ସାମିଲ ହୋଇଥିଲେ ।
ବର୍ଷକୁ ଥରେ ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ପ୍ରତୀମା ଦେଖିବା ପାଇଁ ସହରରେ ବେଶ ଭିଡ ଜମିଥିଲା । ନବ ବିବାହିତ ଦେବ ଦମ୍ପତିଙ୍କ ସହିତ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ବର୍ଷ ତମାମ ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ପ୍ରତୀମା ଜିଲ୍ଲା କୋଷାଗାରରେ ରଖାଯାଉଥିବା ବେଳେ ଶୀତଳ ଷଷ୍ଠୀ ଯାତ୍ରାରେ ହିଁ ସ୍ବର୍ଣ୍ଣ ନାଗ ପ୍ରତୀମା ବ୍ୟବହାର ହୋଇଆସୁଛି । ସୋନପୁର ଗଡଜାତରେ ଚୌହାନ ଶାସକ ବୀରମିତ୍ରଦୋୟ ସିଂହଦେବଙ୍କ ଅମଳରେ ଶୀତଳ ଷଷ୍ଠୀ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ବାବାଙ୍କ ସ୍ବର୍ଣ୍ଣ ନାଗ ପ୍ରତୀମା ତିଆରି କରାଯାଇଥିଲା । ମହାରାଜା ମହଣ ମହଣ ରୂପାରେ ବିମାନ, ଛତି, ଛତ୍ର ପ୍ରଭୃତି ନିର୍ମାଣ କରିଥିଲେ ।
ସେହିପରି ଅଷ୍ଟଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କ ପାଇଁ ପ୍ରଚୁର ପରିମାଣରେ ସୂନା ଓ ରୂପା ଅଳଙ୍କାର ପ୍ରସ୍ତୁତ କରାଯାଇଥିଲା । ଯାହା ଦେବୋତ୍ତର ବିଭାଗ ଶୀତଳ ଷଷ୍ଠୀ ଯାତ୍ରାରେ ବ୍ୟବହାର କରିଆସୁଛନ୍ତି । ତେବେ ଦେବୋତ୍ତର ବିଭାଗ ଏହି ପ୍ରସିଦ୍ଧା ଯାତ୍ରା ପାଳନ କରିବା ପାଇଁ ସେତେଟା ଆନ୍ତରିକତା ପ୍ରଦର୍ଶନ କରୁନଥିବା ଅଭିଯୋଗ ହେଉଛି । ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରାଯାଇ ପାରୁ ନଥିବାରୁ କେବଳ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦାନରେ ଯାତ୍ରା ପାଳନ କରାଯାଉଛି ।
ପଶ୍ଚିମ ଓଡ଼ିଶାର ବିଭିନ୍ନ ଶୈବପୀଠରେ ଶୀତଳ ଷଷ୍ଠୀ ଯାତ୍ରା ପାଳନ କରାଯାଉଛି । ମାତ୍ର ସୋନପୁର ଗଡଜାତର ଶୀତଳ ଷଷ୍ଠୀ ଯାତ୍ରା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ରାଜୁଡା ଅମଳରୁ ବ୍ୟବହାର ହୋଇ ଆସୁଥିବା ସ୍ବର୍ଣ୍ଣ ନାଗ ପ୍ରତୀମା ଓ ମହଣ ମହଣ ରୂପା ତିଆରି ବିମାନାଦି ପାଇଁ ଯାତ୍ରାର ମୁଖ୍ୟ ଆକର୍ଷଣ ହୋଇଥାଏ । ତେବେ ବାବା ଚନ୍ଦ୍ରଶେଖର ଆଜି ମନ୍ଦିରରେ ଦର୍ଶନ ଦେବା ପରେ ଆସନ୍ତାକାଲି ପୁଣି ଜିଲ୍ଲା କୋଷାଗାରକୁ ଫେରିବେ ବୋଲି ଦେବୋତ୍ତର ବିଭାଗ ସୂଚନା ଦେଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର