ସୁବର୍ଣ୍ଣପୁର : ରଜ ଆସିଛି । ପଲ୍ଲୀରୁ ଦିଲ୍ଲୀ ସବୁଠି ଉତ୍ସବର ମାହୋଲ । କୁନି କୁନି କୁଆଁରୀ ଝିଅଙ୍କ ମନରେ କେତେ ଉତ୍ସାହ । ନୂଆଁ ପୋଷାକ, ନୂଆଁ ଚୁଡି, ହାତ ଗୋଡ଼ରେ ମେହେନ୍ଦୀ, ପାଦରେ ଅଳତା ସହିତ କିଛି ସୁବାସିତ ଦ୍ରବ୍ୟ ଲେପନ କରି ରଜ ଦୋଳିକୁ ନେଇ ମସଗୁଲ। ଘରେ ଘରେ ପିଠା ପଣା, ଜାତିଜାତିକା ଅନ୍ନ ବ୍ୟଞ୍ଜନ ସାଙ୍ଗକୁ ଭଳିକି ଭଳି ପାନରେ ମହକୁଛି ସାରା ପରିବେଶ ।
ଏଭଳି ପର୍ବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରବନେ ଝିଅ ମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ଶିଶୁ ଗୃହରେ ରଜ ପାଳନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି । କୁନି କୁନି ଝିଅ ମାନଙ୍କୁ ନୂଆଁ ପରିଧାନ ସହିତ ଅନେକ କିଛି ବ୍ୟବସ୍ଥା କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ସହରରେ ଥିବା ସତ୍ୟମ ଡ୍ରେସ ଦୋକାନରେ ଶିଶୁ ଗୃହର ୪୧ଜଣ କୁନି କୁନି ଝିଅ ନିଜ ନିଜ ପସନ୍ଦର ପୋଷାକ କିଣିଛନ୍ତି ।
ଶିଶୁ ସୁରକ୍ଷା ଅଧିକାରୀ ଝିଅ ମାନଙ୍କୁ ଡ୍ରେସ ଦୋକାନକୁ ଆଣି ଝିଅ ମାନଙ୍କୁ ପୋଷାକ କିଣି ଦେଇଛନ୍ତି । ରଜ ପାଳନ ପାଇଁ ଝିଅ ମାନେ ଦୋକାନରୁ ନିଜ ନିଜ ପସନ୍ଦର ପୋଷାକ କିଣି ବେଶ ଉତ୍ସାହିତ ଅଛନ୍ତି । ତେବେ ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର