ସୁବର୍ଣ୍ଣପୁର: ଗତ ଚାରିଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ଅଦିନିଆ ବର୍ଷା ଲାଗି ରହିଛି । ମଝିରେ ମଝିରେ ଘଡଘଡି ସହ ପ୍ରବଳ ବର୍ଷା ହେଉଛି । ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ଦୋକାନ ବଜାର ବନ୍ଦ ରହିଥିଲା ।
ସହରର ତ୍ରୃଟିପୂର୍ଣ୍ଣ ଡ୍ରେନେଜ ଯୋଗୁଁ ଅନେକ ଦୋକାନ ଭିତରକୁ ପାଣି ପଶି ଯାଇଥିବା ଦେଖିବାକୁ ମିଳିଥିଲା । ସହରର ଖାଲୁଆ ରାସ୍ତାରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା । ଫଳରେ ଯାତାୟତରେ ଲୋକେ ଅସୁବିଧାର ସମ୍ମୁଖିନ ହୋଇଥିଲେ ।
ଏବେ ଜିଲ୍ଲାର ବିଭିନ୍ନ ଜାଗାରେ ମୁଗ ଓ ବିରି ଆଦି ଡାଲିଜାତୀୟ ଶସ୍ୟ ଚାଷ ହୋଇଥିଲା । ବର୍ଷା ଯୋଗୁଁ ଚାଷୀ ଅଧିକ କ୍ଷତି ସହିବେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଲାଣି । ଅନ୍ୟପଟେ ବର୍ଷା ଯୋଗୁଁ ଜିଲ୍ଲାରେ ଥଣ୍ଡା ପବନ ବହିବାରେ ଲାଗିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ