ସୁବର୍ଣ୍ଣପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଲୁପୁରସିଂହା ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇବା ଏବେ ସ୍ୱପ୍ନ ହୋଇ ରହିଯାଇଛି । ଗାଁରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଇପ ଜଳ ଯୋଗାଣ ପାଇଁ ଆଜକୁ ତିନି ବର୍ଷ ହେଲା ଓଭରହେଡ ପାଣି ଟାଙ୍କି ତିଆରି ହୋଇଛି। ହେଲେ ତାହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ସେପଟେ,ଜିଲ୍ଲା ଜଳ ଓ ପରିମଳ ବିଭାଗ ପ୍ରକଳ୍ପ ତିଆରି କରି ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରିଛି । ଅନେକ ପରିବାର ପାଇପ ପାଣି ଯୋଗାଇ ଦେବାକୁ ଗ୍ରାମ ପଞ୍ଚାୟତରେ ଆବେଦନ କରିଛନ୍ତି । ମାତ୍ର ଓଭରହେଡ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଗାଁର ଢିପ ଅଞ୍ଚଳକୁ ପହଞ୍ଚି ପାରୁନି ପାଣି । ତେଣୁ ଗ୍ରାମବାସୀ ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
ଅନ୍ୟପଟେ,ଆବଶ୍ୟକ ମରାମତି କାର୍ଯ୍ୟ କରାଯାଇ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବିପିନ ଦାସ କହିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ