ସୁବର୍ଣ୍ଣପୁର: ଜିଲ୍ଲା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଆଜି (ଗୁରୁବାର) ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କରିବା ପ୍ରତିବାଦରେ ଆନ୍ଦୋଳନ କରାଯାଇଛି। ନିୟମିତ ନିଯୁକ୍ତି ଦେବା ପାଇଁ ଛଟେଇ ସ୍ୱାସ୍ଥ୍ୟକର୍ମୀମାନେ ଦାବି କରିଛନ୍ତି ।
ଜିଲ୍ଲାରେ ଖାଲି ପଡିଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ନିଯୁକ୍ତି ଦେବା ସହିତ ମ୍ୟାଲେରିଆ, ଟିବି, ପୋଲିଓ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ଟୀକାକରଣ, ସ୍ୱାବ ସଂଗ୍ରହ ଆଦି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଦାବି ରଖିଛନ୍ତି। ଏନେଇ ଶତାଧିକ ସ୍ୱାସ୍ଥ୍ୟକର୍ମୀ ରାମେଶ୍ୱର ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ 3 ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଳୀପ କୁମାର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ