ସୁବର୍ଣ୍ଣପୁର: ଚୋରି ହେଉଛି ବିଦ୍ୟୁତ । ସାଧାରଣଙ୍କ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଯାଗାରେ ବିଦ୍ୟୁତ ଚୋରି ହେଉଛି । ହେଲେ ସବୁ ଜାଣି ଅଜଣା ବିଦ୍ୟୁତ ବିଭାଗ । ବିଦ୍ୟୁତ ପରି ଏକ ଅପରିହାର୍ଯ୍ୟ ଜାତୀୟ ସମ୍ପତ୍ତିର ସୁରକ୍ଷା ଓ ବଣ୍ଟନ ପାଇଁ କେହି ଯେପରି ଚିନ୍ତିତ ନୁହନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ଡିଭିଜନକୁ ମାସିକ ପ୍ରାୟ 21.3 ମିଲିୟନ ୟୁନିଟ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 6 କୋଟି 70 ଲକ୍ଷ ଟଙ୍କା । ହେଲେ ସେଥିରୁ ଆଦାୟ ହେଉଛି ପ୍ରାୟ 4 କୋଟି ଟଙ୍କା । ତେବେ ପ୍ରାୟ 2 କୋଟି 70 ଲକ୍ଷ ଟଙ୍କାର ବିଦ୍ୟୁତ ବିଭିନ୍ନ ବାଟରେ ଚୋରି ହେଉଛି ଅବା ଗ୍ରାହକ ବିଦ୍ୟୁତ ଦେୟ ଦେଉ ନାହାଁନ୍ତି । ଏଥିପାଇଁ ବିଦ୍ୟୁତ ବିଭାଗ, ବିତରକ କମ୍ପାନୀ , ଜିଲ୍ଲା ପ୍ରଶାସନ ଓ ସରକାର ସମାନ ଭାବେ ଦାୟୀ ବୋଲି ଅଭିଯୋଗ ହେଉଛି ।
ଜିଲ୍ଲା ବିଦ୍ୟୁତ ଡିଭିଜନ ଅଧୀନରେ ରହିଛନ୍ତି ପ୍ରାୟ 1 ଲକ୍ଷ 30 ହଜାର ଗ୍ରାହକ । ସେ ଭିତରେ 3 ହଜାର 500 ରହିଛନ୍ତି କୃଷି ଓ ଶିଳ୍ପ କ୍ଷେତ୍ରର ଗ୍ରାହକ । ମାସିକ ହାରାହାରି 70 ହଜାର ଗ୍ରାହକଙ୍କୁ ବିଦ୍ୟୁତ ବିଲ ପ୍ରଦାନ କରାଯାଉଥିବା ବେଳେ 60 ହଜାର ଗ୍ରାହକଙ୍କୁ ବିଦ୍ୟୁତ ବିଲ ବି ଦିଆ ଯାଉନାହିଁ । ତେବେ ହାରାହାରି 17 ହଜାର ଗ୍ରାହକ ବିଦ୍ୟୁତ ବିଲ ପ୍ରଦାନ କରୁଥିବା ବେଳେ ପୂର୍ବ ବାକି ସହ ପ୍ରାୟ 50 ପ୍ରତିଶତ ରାଜସ୍ବ ଆଦାୟ ହେଉଛି । ଏପଟେ 15 ପ୍ରତିଶତ ଟ୍ରାନ୍ସମିଶନ ଲସ ମିଶାଇ 28 ପ୍ରତିଶତ ବିଦ୍ୟୁତ ନଷ୍ଟ ହେଉଥିବା ବିଦ୍ୟୁତ ବିଭାଗ ସର୍ଭେରୁ ଜଣାପଡିଛି ।
ଏବେ 51 ପ୍ରତିଶତ ସେୟାର ନେଇଛି ଟାଟା ପାୱାର କମ୍ପାନୀ । ସେଥିମଧ୍ୟରୁ 10 ପ୍ରତିଶତ ରହିଛି କର୍ମଚାରୀ ସେୟାର ଓ 39 ପ୍ରତିଶତ ରହିଛି ସରକାରୀ ସେୟାର । ତେବେ ବର୍ତ୍ତମାନ ବିଦ୍ୟୁତ ବିଭାଗକୁ କ୍ଷତିରୁ ମୁକୁଳାଇବାକୁ ଟାଟା ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ଜଣାପଡ଼ିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ