ସୁବର୍ଣ୍ଣପୁର:ସ୍ଥାନୀୟ ବୀରମହାରାଜପୁର ଥାନାରେ ପୋଲିସ ମାସ୍କ ଚେକିଂ କରୁଥିବା ବେଳେ ଘଟିଛି ଅଘଟଣ । ସାଧାରଣ ଲୋକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଜନୈକ ଠେଲା ଦୋକାନୀକୁ ପୋଲିସ ମାଡ ମାରିବା ସହିତ ତାଙ୍କର ଠେଲା ଗାଡିରେ ଥିବା ଗରମ ତେଲ କଡେଇକୁ ଗ୍ୟାସରୁ ଫୋପାଡି ଦେଇଥିଲେ । ଫଳରେ ଗରିବ ଦୋକାନୀ ସୁଦାମ ବିଶ୍ବାଳ ଦେହରେ ଗରମ ତେଲ ପଡି ସେ ଗୁରୁତର ହୋଇ ପଡିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ପୋଲିସର ପିସିଆର ଭ୍ୟାନ ଷ୍ଟାଫ ଶୁକ୍ରବାର ସନ୍ଧ୍ୟା ପ୍ରାୟ 8ଟା ସମୟରେ ସହରରେ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ ପୋଲିସ ଦଳର ନେତୃତ୍ବ ନେଉଥିବା ଥାନା ଏସଆଇ ବିଜୟ ବାରିକ ସାମ୍ବାଦିକ ଭବନ ଛକ ନିକଟରେ ପହଞ୍ଚ ଏକ ଟିଫିନ ଦୋକାନୀକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଗରମ ତେଲ କଡେଇକୁ ଗ୍ୟାସରୁ ଠେଲି ଦେଇଥିଲେ । ଫଳରେ ସେହି ତେଲ ଦୋକାନୀ ସୁଦାମ ବିଶ୍ବାଳର ଦେହରେ ପଡି ସେ ଗୁରୁତର ଆହତ ହୋଇ ପଡିଥିଲେ ।
ଏପରି ସମୟରେ ପୋଲିସ ସେହି ସ୍ଥାନ ଛାଡି ଚାଲି ଯାଇଥିବା ବେଳେ କିଛି ସ୍ଥାନୀୟ ଲୋକେ ସୁଦାମଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ଆହତ ସୁଦାମକୁ ପ୍ରାଥମିକ ଚିକିତ୍ସା କରି ଘରକୁ ପଠାଇ ଦିଆଯାଇଛି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବୀରମହାରାଜପୁର ଆଇଆଇସି ପ୍ରଭା ଧନ ସିଧାସଳଖ ଖଣ୍ଡନ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେପଟେ ପୋଲିସର ବଢୁଥିବା ଜୁଲମ ପ୍ରତିବାଦରେ ଲୋକେ ଏବେ ରାସ୍ତାରୋକ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ