ସୁବର୍ଣ୍ଣପୁର: ଖରିଫ ଋତୁ ଶେଷ ହୋଇ ରବି ଋତୁ ଆରମ୍ଭ ହୋଇଛି । ଜିଲ୍ଲାର ଚାଷୀ ରବି ଋତୁ ପାଇଁ ଚାଷ କାର୍ଯ୍ୟ ଆରମ୍ଭ କରିପାରୁନାହିଁ। ବିଶେଷ କରି ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନେ ଏଯାଏଁ ଖରିଫ ଋତୁର ଧାନ ବିକ୍ରି କରି ପାରୁ ନ ଥିବାରୁ ରବି ଋତୁ ଚାଷ କାର୍ଯ୍ୟରେ ବିଳମ୍ବ ହେଉଛି । ଆଉ ଏଥର ନୂଆ ପ୍ରଚଳିତ ଇ-ଟୋକନ ବ୍ୟବସ୍ଥା ଚାଷୀ ମୁଣ୍ଡବ୍ୟଥାର କାରଣ ହୋଇଛି ।
ଚାଷୀ ମୁଣ୍ଡରେ ପଡିଛି ଚଡକ । ନୂଆ ଭାବେ ପ୍ରଚଳିତ ଟୋକନ ବ୍ୟବସ୍ଥାରେ ଚାଷୀ ଏଥର ପେଶି ହୋଇଯାଇଛି । ଧାନ ଅମଳ ସରିଥିଲେ ବି ବିକ୍ରିର ବାଟ ନାହିଁ। ଚାଷୀ ଟୋକନ ପାଉ ନଥିବାରୁ ନିଜ ଉତ୍ପାଦିତ ଧାନ ବିକ୍ରି କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛି । ବିଶେଷକରି ସୁବର୍ଣ୍ଣପୁର ଜିଲ୍ଲା ଚରଦା ଅଞ୍ଚଳର ଚାଷୀ ଧାନ ବିକ୍ରି କରିପାରୁ ନ ଥିବାରୁ ରବି ୠତୁ ଚାଷ କାର୍ଯ୍ୟରେ ବି ବିଳମ୍ବ ହେଉଛି । ଧାର କରଜ କରି ଖରିଫ ଚାଷ କରିଥିବା ଚାଷୀ ରବି ୠତୁ ଚାଷ ପାଇଁ ମୂଳଧନ ବି ପାଉନାହିଁ। ଏହି ଇ-ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ବ୍ୟବସ୍ଥାରେ ଧାନ ସଂଗ୍ରହ କରିବା ପାଇଁ ଦାବି କରିଛି ଚାଷୀ ।
ଜିଲ୍ଲାର ଚରଦା ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଏବେ ଧାନ ବିକ୍ରିର ରାସ୍ତା ପାଉ ନାହାଁନ୍ତି । ଖଳା ଗୁଡିକରେ ଚାଷୀ ଧାନ ଅମଳ କରି ଗଚ୍ଛିତ ରଖିଛି। ହେଲେ ଟୋକନ ଅସୁବିଧାରୁ ବିକ୍ରି କରିପାରୁନାହିଁ ଚାଷୀ । ଫଳରେ ଦୈନନ୍ଦିନ ଖର୍ଚ୍ଚ ତଥା ରବି ୠତୁ ଚାଷ ପାଇଁ ଚାଷୀ ନିଜକୁ ପ୍ରସ୍ତୁତ କରିପାରୁ ନାହିଁ । ଅପରପକ୍ଷରେ ଚାଷୀଙ୍କ ସମସ୍ୟାକୁ ପରୋକ୍ଷ ଭାବେ ସମବାୟ ସମିତି ସମ୍ପାଦକ ସ୍ବୀକାର କରିଥିବାବେଳେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ପ୍ରୟାସ କରୁଥିବା କହିଛନ୍ତି ।
ଚରଦା ସମବାୟ ସମିତିର 542 ଚାଷୀ ଭିତରୁ କେବଳ 85 ଜଣ ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇଛନ୍ତି। ତେବେ ବାକି ଚାଷୀ କେବେ ଟୋକନ ପାଇବେ ଓ ଉତ୍ପାଦିତ ଧାନକୁ କେବେ ବିକ୍ରି କରିବେ ତାହା ପ୍ରଶାସନକୁ ଜଣା ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ