ସୁବର୍ଣ୍ଣପୁର: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ସାରା ପଶ୍ଚିମ ଓଡି଼ଶାର ଚାଷୀ ପାଳନ କରିଥାଏ ଏହି କୃଷି ଭିତ୍ତିକ ପର୍ବ । କିନ୍ତୁ ଚଳିତ ବର୍ଷ ଆବଶ୍ୟକଠାରୁ କମ ବର୍ଷା ଚାଷୀକୂଳ ଉପରେ ଦାଉ ସାଧିଛି । ସେପଟେ କୋରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ପେଶି ହୋଇପଡ଼ିଛି ଚାଷୀ । ତଥାପି ଚାଷୀ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଚଳିତ ବର୍ଷର ଏହି ପର୍ବ ଫିକା ପଡ଼ିବ ବୋଲି ଆଶା କରାଯାଇଛି ।
ପରମ୍ପରା ଅନୁଯାୟୀ ନନ୍ଦୋତ୍ସବ ତିଥିରେ ସୋନପୁର ଗଡଜାତ ପାଇଁ ଲଗ୍ନ ସ୍ଥିର କରାଯାଏ । ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ନାଁରେ ପଣ୍ଡିତ ମହାସଭା ଏହି ଲଗ୍ନ ନିର୍ଣ୍ଣୟ କରିଥାନ୍ତି । ହେଲେ ଏଥର ନୂଆଖାଇ ପାଇଁ ଅଡୁଆ ହୋଇଛି କୋରୋନାର ତୃତୀୟ ଲହର । ଏହାସହିତ ସ୍ବଳ୍ପ ଓ ଅନିୟମିତ ବର୍ଷା ଏଥର ଚାଷୀକୂଳକୁ ଦାଉ ସାଧିଛି। ଦିନକୁ ଦିନ ଚାଷୀ ଆସନ୍ନ ମରୁଡିର ଆଶଙ୍କାରେ ଆତଙ୍କିତ ହେଉଥିବା ବେଳେ ତୃତୀୟ ଲହର ଆସିବାର ଶଙ୍କା ଭିତରେ ଚାଷୀ ପେଶୀ ହୋଇ ଯାଇଛି । ତଥାପି ଏଇ ମହଙ୍ଗା ବେଳାରେ ଚାଷୀ ନୂଆଖାଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିଳମ୍ବିତ ଚାଷ ଯୋଗୁଁ ଏଯାଏଁ ସରିଆଁ ଧାନ ଅମଳ ହୋଇ ନ ଥିବା ବେଳେ ଦୈନନ୍ଦିନ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଚାଷୀକୁ ହତାଶ କରିଛି ।
କୋରୋନାରେ ବନ୍ଦ ହୋଇ ପଡି଼ଥିବା ସବୁ ଦୋକାନ ବଜାର ଆଦି ସ୍ବାଭାବିକ ହୋଇଛି । ପୋଲିସର କର୍ଫ୍ୟୁ ଲାଗିନାହିଁ କି ଲକଡାଉନ, ସଟଡାଉନ ମଧ୍ୟ ନାହିଁ । ତଥାପି ଆସନ୍ନ ମରୁଡି଼ ଓ କୋରୋନାର ତୃତୀୟ ଲହର ଯୋଗୁଁ ଜିଲ୍ଲାବାସୀ ଭୟଭୀତ ହୋଇ ପଡିଛନ୍ତି । ଜିଲ୍ଲାର ୭ ଲକ୍ଷ ଜନସଂଖ୍ୟା ଭିତରୁ ପ୍ରାୟ ଅଢେଇ ଲକ୍ଷ ଲୋକ କୋରୋନା ଟିକା ନେଇଛନ୍ତି । ଏବେ ବି 18ରୁ 45 ବର୍ଷୀୟ ବୟସ୍କମାନେ ଟିକା ନେଉଛନ୍ତି ।
ଉଭୟ ମରୁଡ଼ି ଓ ତୃତୀୟ ଲହର ଜିଲ୍ଲାବାସୀଙ୍କ ଭିତରେ ନବାର୍ଣ୍ଣ ପାଳନ କରିବା ପାଇଁ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ । ତଥାପି ପରମ୍ପରାକୁ ରକ୍ଷା କରିବାକୁ ଯାଇ ଏଥର ନନ୍ଦୋତ୍ସବ ତିଥିରେ ପଣ୍ଡିତ ମହାସଭା ସୋନପୁର ଗଡଜାତ ଓ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ଲଗ୍ନ ନିର୍ଣ୍ଣୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ