ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ପୋଲିସ ଆଉଟପୋଷ୍ଟକୁ ହଟେଇ ଦିଆଯାଇଛି। ବିଗତ ବର୍ଷ ମାନଙ୍କରେ ଅସାମାଜିକ ଲୋକଙ୍କର ପ୍ରାଦୁର୍ଭାବ ଜିଲ୍ଲା ସଦର ମହକୁମାରେ ବଢି ଚାଲିଛି । ଏପରିକି ଦଲାଲ ମାନେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘରୋଇ କ୍ଲିନିକ ଓ ପାଥୋଲୋଜି ଗୁଡିକୁ ପଠାଉଥିଲେ। ରୋଗୀଙ୍କ ପରିଜନ ତଥା ମେଡିକାଲ କର୍ମଚାରୀଙ୍କ ଉପରେ ଧମକ ଚମକ ଓ ଦାଦାଗିରି କରୁଥିଲେ। ତେବେ ଜନସାଧାରଣଙ୍କ ଅଭିଯୋଗ କ୍ରମେ ଡାକ୍ତରଖାନାରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ କରାଯାଇଥିଲା।
ଏହା ଯୋଗୁଁ ଦାଦାଗିରି ଓ ଅସାମାଜିକ ଲୋକଙ୍କ ପ୍ରବେଶ ମଧ୍ୟ କମିଯାଇଛି। ପୁଣି କିଛି ପୋଲିସ କର୍ମଚାରୀ ରୋଗୀଙ୍କୁ ରକ୍ତ ଯୋଗାଣ, ପାନୀୟ ଜଳ ଯୋଗାଣ, ଗାଡି ମୋଟର ତଥା ଆମ୍ବୁଲାନ୍ସ ଆଦି ଯୋଗାଡ଼ କରିବାରେ ପୋଲିସ କର୍ମଚାରୀମାନେ ସହଯୋଗ କରୁଥିଲେ । ଏବେ କିଛି ଦିନ ତଳେ ଏହି କ୍ୟାମ୍ପକୁ ଉଠେଇ ନିଆଯାଇଛି। ଫଳରେ ରୋଗୀଙ୍କ ପରିଜନ, ଡାକ୍ତର, ମେଡ଼ିକାଲ କର୍ମଚାରୀମାନେ ନିଜକୁ ସୁରକ୍ଷିତ ଭାବୁ ନାହାଁନ୍ତି।
ଜନସାଧାରଣରେ ଏହି ଆଉଟପୋଷ୍ଟ ଉଠାଇବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୋଲିସ ପୋଷ୍ଟକୁ ପୁନଃସ୍ଥାପନ ପାଇଁ ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଓକିଲ ବଳଦେବ ବେଦବାଗ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ