ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ କନ୍ୟା ଅପହରଣ ମାମଲାରେ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ନବଜାତ ଶିଶୁ କନ୍ୟାର ବାପା ବୀରମହାରାଜପୁର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ଓ ତାଙ୍କ ଶାଶୁ ଏହି ଘଟଣାରେ ସଂପୃକ୍ତ ଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି ।
ତେବେ ଏକ ନାଟକୀୟ ଘଟଣାରେ ଶିଶୁ କନ୍ୟା ଚୋରି ବା ଅପହରଣ ଭଳି ଏକ ଘଟଣା ଭିଆଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଶିଶୁ କନ୍ୟାକୁ ଚୋରି କି ଅପହରଣ ନୁହେଁ ବରଂ ବିକ୍ରୀ ପରି ଏକ ମାମଲା ପୋଲିସର ନଜରକୁ ଆସିଥିବା ଗତକାଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ କହିଥିଲେ । ଫଲରେ ପୋଲିସ ସେହି ଦିଗରେ ତଦନ୍ତ ଆଗକୁ ବଢାଇଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗତକାଲି ଅର୍ଜୁନପୁର ଜଙ୍ଗଲରୁ ରାସ୍ତାକଡର ଏକ ବୁଦା ମୂଳରୁ ଶିଶୁ କନ୍ୟାକୁ ପୋଲିସ ଉଦ୍ଧାର କରିବା ପରେ ଅସଲ କଥାଟି ପଦାକୁ ଆସଥିଲା ।
ସିସିଟିଭି ଫୁଟେଜରେ ପ୍ରସୂତି ସନ୍ତୋଷିନୀଙ୍କ ମା ଅନ୍ୟ ଜଣେ ମହିଳାଙ୍କୁ ଶିଶୁ କନ୍ୟାକୁ ଟେକି ଦେବା ପରେ ଚିକିତ୍ସାଳୟ ବାରଣ୍ଡାରେ ମୁଣ୍ଡ ବାଡେଇ ହୋଇ କନ୍ଦାକଟା କରିବା ଘଟଣାଟି ସଂପୂର୍ଣ୍ଣ ନାଟକବାଜି ବୋଲି ପୋଲିସ ଜାଣିବାକୁ ପାଇଥିଲା । ସଂପୂର୍ଣ୍ଣ ଘଟଣା ଜାଣିବା ପାଇଁ ସନ୍ତୋଷିନୀଙ୍କ ମା ଅବା ଶିଶୁ କନ୍ୟାଙ୍କ ଜେଜେମାଙ୍କୁ ନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ କରିଥିଲେ ବି ଶିଶୁ କନ୍ୟାକୁ ନେଇଥିବା ଅପରିଚିତ ମହିଳାଙ୍କ ପତ୍ତା ପାଇନଥିଲା ପୋଲିସ ।
ଘଟଣାରେ କିନ୍ତୁ ଶିଶୁ କନ୍ୟାର ପିତା ଓ ଜେଜେମା ସଂପୃକ୍ତି ଥିବା ଜାଣିବା ପରେ ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ