ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହୁ ପ୍ରତୀକ୍ଷିତ ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ଉଦଘାଟିତ ହୋଇଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ଓ ବୀରମହରାଜପୁର ବିଧାୟକ ପଦ୍ମନାଭ ବେହେରା ଅତିଥି ଭାବେ ଯୋଗ ଦେଇ ଏହି ନୂତନ କୋଠାର ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ଚାଲିଥିବାବେଳେ ତୁରନ୍ତ ଏହି କୋଠାର ନିର୍ମାଣ କାର୍ଯ୍ୟ ଶେଷ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।
ପ୍ରାୟ 18 କୋଟି 50 ଲକ୍ଷରୁ ଅଧିକ ଅନୁଦାନରେ ଏହି ନୂତନ କୋଠାଟି ନିର୍ମାଣ ହେବା ପରେ COVID ସ୍ବାସ୍ଥ୍ୟକେନ୍ଦ୍ର ଭାବେ ବ୍ୟବହାର ହୋଇଆସୁଥିଲା । ତେବେ ଜିଲ୍ଲାରେ କୋଭିଡ ମହାମାରୀ ନିୟନ୍ତ୍ରଣ ହେବା ପରେ ଏହାକୁ ଶିଶୁ ଓ ମାଆ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଲୋକାର୍ପଣ କରାଯାଇଛି । ଆଗାମୀ ରଥଯାତ୍ରା ଦିନ ଏହି ନୂତନ କୋଠାରେ ମାଆ ଓ ଶିଶୁ ମାନଙ୍କ ଚିକିତ୍ସା ଆରମ୍ଭ କରାଯିବ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହରର ମଧ୍ୟଭାଗରେ ଥିବା ବେଳେ ଏହି ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରଟି ସହରର ବାହାରେ ନିର୍ମାଣ କରାଯାଇଛି । ତେବେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠାଟି ନିର୍ମାଣ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ମତ ପ୍ରକାଶ ପାଉଛି । ଆଗାମୀ ରଥଯାତ୍ରା ଦିନ ଏହି କୋଠାରେ ଚିକିତ୍ସା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର