ସୁବର୍ଣ୍ଣପୁର: ଜିଲ୍ଲା କୃଷି ବିଭାଗରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ପଦ ଖାଲି ପଡି ରହିଛି । ଫଳରେ ଜିଲ୍ଲା କୃଷି ବିଭାଗର କୃଷକ ସାଥୀଙ୍କ ଠାରୁ ଆରମ୍ଭ କରି କୃଷି ବୈଜ୍ଞାନିିକ ଚାଷୀମାନଙ୍କ ପାଖକୁ ପହଞ୍ଚି ପାରୁନାହାନ୍ତି । କୃଷି ବିଭାଗରେ ଜିଲ୍ଲାରେ ଥିବା ୧୮୪ଟି ପଦ ଭିତରୁ ୮୪ ଜଣ କୃଷି କର୍ମଚାରୀ ଥିବାବେଳେ ୧୦୪ଟି ଖାଲି ପଡିଛି ।
ଚାଷୀମାନେ ଆବଶ୍ୟକୀୟ କୃଷି ସହାୟତା ଓ କୃଷି ପରାମର୍ଶରୁ ବଞ୍ଚିତ ହେଉଛନ୍ତି । କୃଷି କର୍ମଚାରୀଙ୍କ ଅଭାବ ଯୋଗୁଁ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ କୃଷି କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ଚାଷ ଜମିକୁ ଯାଇ ଚାଷ କାର୍ଯ୍ୟ ଦେଖି ପାରୁ ନାହାନ୍ତି । ବିଭିନ୍ନ ସମୟରେ ଚାଷୀ ସଂଗଠନ ଗୁଡିକ ପକ୍ଷରୁ କୃଷି କର୍ମଚାରୀ ପଦ ପୂରଣ ପାଇଁ ଦାବି ହେଉଛି । ହେଲେ ଜିଲ୍ଲା ପ୍ରଶାସନ ଅବା ରାଜ୍ୟ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି ।
![ବିଭାଗର ଅବହେଳା, 57 ପ୍ରତିଶତ କୃଷି କର୍ମଚାରୀ ପଦ ଖାଲି](https://etvbharatimages.akamaized.net/etvbharat/prod-images/od-son-01-large-vacancy-avb-od10013_22072022110256_2207f_1658467976_1058.jpg)
ସୁବର୍ଣ୍ଣପୁର ଜିଲ୍ଲା ଖାଲି ଧାନ ନୁହେଁ, ଅଣ ଧାନ ଫସଲ ଯଥା-ତୈଳବୀଜ ଓ ଡାଲି ଜାତୀୟ ଶସ୍ୟ ଚାଷ କରିବାରେ ରାଜ୍ୟରେ ନାଁ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାତର ତିନି ଥର କୃଷି କର୍ମଣ ପୁରଷ୍କାର ପାଇଛି । ମାତ୍ର କୃଷି କର୍ମଚାରୀଙ୍କ ଅଭାବ ଯୋଗୁଁ କୃଷି ଉତ୍ପାଦିକା ଶକ୍ତି ଓ ବୈଜ୍ଞାନିକ ପ୍ରଣାଳୀ ଚାଷ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁ ନ ଥିବା ଦେଖିବାକୁ ମିଳୁଛି । ତେବେ ଜିଲ୍ଲାର ଅର୍ଥନୀତି କୃଷି ଉପରେ ନିର୍ଭର କରୁଥିବାରୁ ଅର୍ଥନୈତିକ ପ୍ରଗତି ପାଇଁ କୃଷି କର୍ମଚାରୀ ପଦ ପୂରଣ ଜରୁରୀ ହୋଇ ପଡିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର