ସୁବର୍ଣ୍ଣପୁର: ଜିଲ୍ଲାର ନିମ୍ନା ଗାଁରେ ଜଣେ ବିବାହିତ ମହିଳାଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ସ୍ବାମୀ ଓ ଶାଶୁଘର ଲୋକେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବାବେଳେ ବହୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ।
ଗତ ୫ ବର୍ଷ ତଳେ ବୌଦ୍ଧ ଜିଲ୍ଲା ଗବଜୁରୀ ଗାଁର କାର୍ତ୍ତିକ ମେହେରଙ୍କ ଝିଅ ରଶ୍ମୀତା ନିମ୍ନା ଗାଁର ଅଶୋକ ମେହେରଙ୍କୁ ବିବାହ କରିଥିଲେ । ତେବେ ବିବାହର କିଛି ଦିନ ପରେ ଯୌତୁକ ଅଧିକ ଆଣିବା ପାଇଁ ସ୍ବାମୀ ଅଶୋକ ଓ ଶାଶୁଘର ଲୋକେ ରଶ୍ମୀତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ତେବେ କିଛି ଦିନ ତଳେ ରଶ୍ମୀତାଙ୍କ ବାପା ନିମ୍ମା ଗାଁର ଭଦ୍ରବ୍ୟକ୍ତିଙ୍କ ଆଗରେ ଘରୋଇ କଳିକୁ ସମାଧାନ କରିଥିଲେ ।
ତଥାପି ଟଙ୍କା ଆଣିବା ପାଇଁ ସ୍ବାମୀ ଅଶୋକ ଓ ଶାଶୁଘର ଲୋକେ ଅକଥନୀୟ ନିର୍ଯାତନା ଦେଉଥିବା ରଶ୍ମୀତାଙ୍କ ବାପା ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ରଶ୍ମୀତାଙ୍କ ପୁଅ ପାଇଁ ୫୦ ହଜାର ଟଙ୍କା ଦେବା ପାଇଁ ଶାଶୁଘର ଲୋକେ କହିବା ପରେ କାର୍ତ୍ତିକ ସେହି ଟଙ୍କା ବି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଗତକାଲି ରଶ୍ମୀତାକୁ ଶାଶୁଘର ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।
ରଶ୍ମୀତାଙ୍କୁ ସ୍ବାମୀ ଅଶୋକ ସ୍ବାସ୍ଥ୍ୟ ଖରାପ ଥିବା କହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ରଶ୍ମୀତାକୁ ଭୟଙ୍କର ଭାବେ ପିଟି ଥିବାରୁ ତାର ମୃତ୍ୟୁ ହୋଇଥିବା କାର୍ତ୍ତିକ ଅଭିଯୋଗ କରିଛନ୍ତି । ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି ଦଣ୍ଡ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ