ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅଂଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଫଳରେ ଧନଜୀବନ କ୍ଷତିଗ୍ରସ୍ତ ହେବା ସହ କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏଣୁ ତୁରନ୍ତ ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଗତ କିଛି ବର୍ଷ ଧରି ହାତୀ ଉପଦ୍ରବ ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ବଢି ଚାଲିଛି । ହାତୀମାନେ ଦୁଇ ତିନୋଟି ଦଳରେ ଭାଗ ଭାଗ ହୋଇ ଜନବସତି ଆଡକୁ ମାଡି ଆସୁଛନ୍ତି। ଫଳରେ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ କରିବା ସହିତ ଜଙ୍ଗଲିଆ ଗାଁ ଗୁଡିକରେ ପଶି ଧନ ଜୀବନ ମଧ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି ।
ତେବେ ଦୁଇ ବର୍ଷ ଭିତରେ ହାତୀମାନେ 1264 ଜଣଙ୍କର ଫସଲ ନଷ୍ଟ କରିଛନ୍ତି । 2019-20 ଆର୍ଥିକ ବର୍ଷରେ ପ୍ରାୟ 394 ଏକର ଓ ଚଳିତ ବର୍ଷ ପ୍ରାୟ 25 ଏକର ଧାନ ଫସଲ ନଷ୍ଟ କରିଛନ୍ତି । ସେହିପରି ଗତବର୍ଷ ପ୍ରାୟ 40 ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ବେଳେ ଏଥର 2 ଲକ୍ଷ 44 ହଜାରରୁ ଅଧିକ ଟଙ୍କା ଚାଷୀମାନଙ୍କୁ କ୍ଷତିପୂରଣ ଦିଆଯାଇଛି । ତେବେ ବନ ବିଭାଗ ପକ୍ଷରୁ ମିଳୁଥିବା କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ଧନଜୀବନ ସହିତ ଚାଷଜମିକୁ ହାତୀମାନଙ୍କ କବଳରୁ ରକ୍ଷା କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଜଙ୍ଗଲ ଅଂଚଳରେ ଟ୍ରେଞ୍ଚ ଖୋଲିବା ସହିତ ତାର ବାଡ଼ ଦେବା ପାଇଁ ମଧ୍ୟ ଦାବି ହେଉଛି। ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଗଠନ କରାନଗଲେ ଆଗକୁ ସ୍ଥାନୀୟ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ