ସୁବର୍ଣ୍ଣପୁର: ବର୍ଷା ଦିନରେ ପିଇବା ପାଇଁ ସମସ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକପଡାରେ ପିଇବା ପାଣିର ସଙ୍କଟ ଦେଖାଦେଇଛି । ଅଭିଯୋଗ କଲେ ମଧ୍ୟ ଶୁଣୁନାହାଁନ୍ତି ପ୍ରଶାସନ ।
ସମ୍ବଲପୁର ସୁବର୍ଣ୍ଣପୁର ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ନାଏକପଡା ଗାଁର ଉପର ପଡାବାସୀ ପିଇବା ପାଣି ପାଇଁ ବେଶ ହଇରାଣ ହେଉଛନ୍ତି । ବିଶେଷ କରି ବର୍ଷା ଦିନରେ ନଳକୂପ ପାଖରେ ପାଣି ଜମି ରହୁଥିବାରୁ ମହିଳାମାନେ ପାଣି ସଂଗ୍ରହ କରି ଯାଇପାରୁନାହାଁନ୍ତି । ଏପରିକି ନଳକୂପରୁ ବି ମାଟିଆ ପାଣି ବାହାରୁଛି । ଯାହା ପିଇବା ଯୋଗ୍ୟ ନୁହେଁ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ଗାଁରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଲୋକେ ଗାଁ ପୋଖରୀ ଉପରେ ଦୈନନ୍ଦିନ କାର୍ଯ୍ୟ ପାଇଁ ପାଣି ବ୍ୟବହାର କରୁଥିବାବେଳେ ପିଇବା ପାଇଁ ନଳକୂପ ଉପରେ ନିର୍ଭର କରୁଛନ୍ତି ।
ନଳକୂପରୁ ମାଟିଆ ପାଣି ବାହାରୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନଳ ଚାରିପାଖର ଉଚ୍ଚତା ବଢାଇବା ସହିତ ନଳକୂପ ମରାମତି କରିବା ପାଇଁ ସ୍ଥାନୀୟ ପଞ୍ଚାୟତ ଓ ସମିତି କର୍ତ୍ତୃପକ୍ଷଙ୍କୁ ଅନେକ ବାର ଦାବି ଆପତ୍ତି କରି ଆସୁଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ