ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ଗାଁରେ ଦିନକୁ ଦିନ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି । ଗାଁରେ ଲୋକେ ଦୂଷିତ ପାଣି ବ୍ୟବହାର କରୁଥିବାରୁ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ପାଇପ ଜଳ ଯୋଗାଣ କରୁଥିବା ଟାଙ୍କି ଦୀର୍ଘ ଦିନରୁ ସଫା କରାଯାଉ ନ ଥିବାରୁ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଥିବା କହିଛନ୍ତି ଲୋକେ । ଜଣ୍ଡିସ ରୋଗର ଶିକାର ହୋଇଥିବା ଲୋକେ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗାଁ ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ବଣ୍ଟା ଯାଇଛି । ଜଣ୍ଡିସ ଆକ୍ରାନ୍ତ ହୋଇଥିବା ପଡ଼ାରେ ଡାକ୍ତରଖାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି । ଲୋକେ ସ୍ବଚ୍ଛ ଓ ବିଶୁଦ୍ଧ ପାଣି ବ୍ୟବହାର କରିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି ।
ରାମପୁର ଗାଁରେ ବର୍ତ୍ତମାନ ସୁଦ୍ଧା ଆଠ ଜଣ ଜଣ୍ଡିସର ଶିକାର ହୋଇଥିବା ବେଳେ ଲୋକେ ସଚେତନ ନ ହେଲେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି କହିଛନ୍ତି ଡାକ୍ତର । ଅନ୍ୟପଟେ ପୁରୁଣା ପାଣି ଟାଙ୍କିକୁ ସଫା ସୁତୁରା କରି ପାଣି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗାଁ ଲୋକେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ