ସୁବର୍ଣ୍ଣପୁର: ଆଜି ସକାଳୁ ବୀରମହାରାଜପୁର ଅଞ୍ଚଳରେ ପାଗ ସାମାନ୍ୟ କୋହଲା ରହିବା ସହିତ ଖୁବ ଜୋରରେ ପବନ ବର୍ଷା ହୋଇଛି । ଗତକାଲି ସଂଧ୍ୟା ବେଳକୁ ପାଗରେ ପରିବର୍ତ୍ତନ ଦେଖା ଦେଇଥିଲା। ଏହାସହ ଅଳ୍ପ ସମୟ ଭିତରେ ପବନ ସହ ବର୍ଷା ଆରମ୍ଭ ହୋଇଥିଲା। ଯାହାଫଳରେ ସାଧାରଣ ଜନତା ବହୁ ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ସହ ସହରର କୁଆପଥର ମାଡ ମଧ୍ୟ ହୋଇଥିଲା। ବିଭିନ୍ନ ସ୍ଥାନରେ ଲୋକେ ଆଶ୍ରୟ ଖୋଜି ଅଟକି ଯାଇଥିବା ଦେଖିବାକୁ ମିଳିଥିଲା।
ଏହାପରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ହୋଇ ଯାଇଥିବା ଜଣାଯାଇଛି। ଏହା ସହ ସହରର କଲେଜ ଛକରେ ଏକ ବିରାଟ ଜାମ୍ବୁଗଛ ରାସ୍ତା ଉପରେ ପଡି ରାସ୍ତା ଅବରୋଧ ହୋଇଥିଲା ।ଯାହା ଫଳରେ ଯାତାୟତରେ ବାଧା ଉପୁଜିଥିଲା।
ପବନ ଓ ବର୍ଷା ଥମିବା ପରେ ବୀରମହାରାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତିରେ ରାସ୍ତା ଉପରୁ ଗଛଟିକୁ ସମ୍ପୂର୍ଣ୍ଣ ହଟାଇଥିଲା । ଏହାପରେ ଯାତାୟତ ସ୍ବାଭାବିକ ହୋଇଥିବା ଜଣାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ