ସୁବର୍ଣ୍ଣପୁର: ଦିନ ମଜୁରିଆଙ୍କୁ ମିଳୁନି ସେମାନଙ୍କ ହକର ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ରେଞ୍ଜ ଅଧିନରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଥିବା ମଜୁରିଆଙ୍କୁ ଏଯାଏଁ ତାଙ୍କର ପାରିଶ୍ରମିକ ମିଳିନଥିବା ଅଭିଯୋଗ ହୋଇଛି । ସମୟ ପରେ ସମୟ ବିତିଗଲା ହେଲେ ମିଳିନି ଏଯାଏଁ ସେମାନଙ୍କ ହକ । ଏନେଇ ସ୍ବର ଉଠାଇଛନ୍ତି ଏହି ମଜୁରିଆମାନେ ।
ସୂଚନା ଅନୁସାରେ ଗତ ବର୍ଷ 2018 ମାର୍ଚ୍ଚ ମାସରେ ଶତାଧିକ ମଜୁରିଆ ବନ ବିଭାଗର ବିଭିନ୍ନ କାର୍ଯ୍ୟରେ ପ୍ରାୟ ମାସେରୁ ଅଧିକ ସମୟ ନିୟୋଜିତ ହୋଇଥିଲେ । ବହଳ ପଦର ବନପାଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ହାତିଲିମୁଣ୍ଡା ଓ ପାତରପାଲି ଜଙ୍ଗଲରେ ଗଛ ଲଗାଇବା, ଚାରା ତିଆରି କରିବା ପାଇଁ ପଲିଥିନରେ ମାଟି ଭର୍ତ୍ତି କରିବା ତଥା ଗଛ ଗୁଡିକରେ ପାଣି ଦେବା ଆଦି କାର୍ଯ୍ୟରେ ମଜୁରିଆଙ୍କୁ ନିୟୋଜିତ କରାଯାଇଥିଲା । ହେଲେ ଆଜକୁ 1 ବର୍ଷ ଚାରି ମାସ ହେଲା ଏମାନେ ତାଙ୍କ ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ମଜୁରିଆଙ୍କୁ ସପ୍ତାହକୁ ଥରେ ମଜୁରି ପ୍ରଦାନ କରିବା ପାଇଁ ବନ କର୍ମଚାରୀମାନେ ଡାକି ଆଣିଥିଲେ । କାମରେ ନିୟୋଜିତ କରାଇ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏକା ଥରକେ ମଜୁରି ପ୍ରଦାନ କରିବା ପାଇଁ କୁହାଯାଇଥିଲା । ହେଲେ ବାରମ୍ବାର ଦାବି ଆପତ୍ତି ସତ୍ତ୍ବେ ବି ମଜୁରିଆଙ୍କୁ ତାଙ୍କ ମଜୁରି ପ୍ରଦାନ କରାଯାଇ ନଥିଲା । ଆଜି ମଜୁରିଆମାନେ ଜିଲ୍ଲା ବନ ଅଧିକାରୀଙ୍କୁ ଭେଟି ତୁରନ୍ତ ମଜୁରି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ମଜୁରିଆମାନଙ୍କ ଦାବି ଯଥାର୍ଥ ଓ ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ବନ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାଏ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ