ସୁବର୍ଣ୍ଣପୁର: ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ନା ଜଙ୍ଗଲ ସୁରକ୍ଷା କରାଯାଇ ପାରୁଛି ନା ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବା ବେଳେ ପୁରୁଣା ଜଙ୍ଗଲର ପୁନରୁଦ୍ଧାର, ନୂତନ ଜଙ୍ଗଲ ସୃଷ୍ଟି ନାଁରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ କରାଯାଉଛି । ମାତ୍ର ବନ୍ୟଜନ୍ତୁ ସୁରକ୍ଷା କରିବା ପାଇଁ ବନ ବିଭାଗ ସେତେଟା ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହେଉଛି ।
ଦିନକୁ ଦିନ ହରିଣ, ବାରହା ଶିକାର ହେଉଥିବା ବେଳେ ଦାନ୍ତ ପାଇଁ ହାତୀ ଶିକାର ହେଉଛି । ସେହିପରି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହେଉଛି । ବନ୍ୟଜନ୍ତୁ ପୁଣି ଜନବସତି ମୁହାଁ ହେଉଥିବାରୁ ମଣିଷଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଅନେକ ସମୟରେ ହାତୀ ଜନବସତି ଆଡକୁ ମାଡି ଆସି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବର୍ଷତମାମ ହାତୀ ଉପଦ୍ରବରେ ଶହ ଶହ ଏକର ଚାଷଜମି କ୍ଷତିଗ୍ରସ୍ତ ହେଉଥିବା ବେଳେ ହାତୀ ଉପଦ୍ରବରେ ଅନେକ ଧନ ଜୀବନ ନଷ୍ଟ ହେଉଛି । ତେବେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ଥିବା ବେଳେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ପାଇଁ ଆବଶ୍ୟକ ଖାଦ୍ୟର ବ୍ୟବସ୍ଥା କରିବାକୁ ଦାବି ହେଉଛି ।
ବିଶେଷକରି ଜିଲ୍ଲାର ସିଂହାସନ ଜଙ୍ଗଲରେ ସ୍ଥାୟୀ ଭାବେ ପ୍ରାୟ 19 ଘର ହାତୀ ବାସ କରୁଛନ୍ତି । କେବଳ ଉଲୁଣ୍ଡା ବ୍ଳକ ଅଞ୍ଚଳ ନୁହେଁ ବରଂ ବିନିକା ବ୍ଳକ ଅଞ୍ଚଳରେ ବି ବ୍ୟାପକ ପରିମାଣରେ କ୍ଷୟକ୍ଷତି କରୁଛନ୍ତି । ସେହିପରି ସଦର ବ୍ଳକର ବାରପାହାଡ ଜଙ୍ଗଲରେ ବି କିଛି ହାତୀ ରହୁଛନ୍ତି । ଅନେକ ସମୟରେ ହାତୀ ମୃତ୍ୟୁ ବା ହାତୀ ଆକ୍ରମଣରେ ମଣିଷର ମଧ୍ୟ ମୃତ୍ୟୁ ହେଉଛି । ତେବେ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ