ସୁବର୍ଣ୍ଣପୁର: ବନ୍ୟା ଯିବାର ବର୍ଷେ ବିତିଗଲାଣି ହେଲେ କଷ୍ଟ ସରୁନି। ମହାମାରୀ ବେଳେ ବି ମହାଦଶା ଭୋଗୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଆଖପାଖ ଗାଁର ଲୋକେ। ବନ୍ୟା କ୍ଷତିଗ୍ରସ୍ତ ପାଇବାକୁ ଆଶା ରଖି ଆଜି ବି ସରକାରୀ ସହାୟତାର ଅପେକ୍ଷା ଅଛନ୍ତି ଏଠାକାର ଲୋକେ। ପୂର୍ବରୁ ବନ୍ୟା ପୀଡ଼ିତ ପରିବାର ମାନଙ୍କୁ ଅଳ୍ପ କିଛି ଘରଭଙ୍ଗା ସହାୟତା ବ୍ୟତୀତ ଅନ୍ୟ କିଛି ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଆଜକୁ ଠିକ ବର୍ଷେ ପୂର୍ବରୁ ତରଭା ସହର ସମେତ ଆଖପାଖ ଗାଁରେ ଭୟଙ୍କର ବନ୍ୟା ହୋଇଥିଲା। ଏହି ବନ୍ୟାରେ ତୁଲୁଣ୍ଡା ,ନରଡା,ନାଁଧରା ଆଦି ଗାଁରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଆଜିଯାଏଁ ରାସ୍ତାଘାଟର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଅନେକ ବିକାଶ ମୂଳକ ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ତାହା ଅଧାରେ ଅଟକି ରହିଛି।
ତୁଲୁଣ୍ଡା ଗାଁରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଦୁଇ ମୁଣ୍ଡରେ ଘାଇ ହେବାରୁ ବନ୍ୟା ପାଣି ଆଖପାଖ ଗାଁ ଓ ତରଭା ସହର ଭିତରକୁ ପଶିଥିଲା। ତେବେ ଅନେକ କ୍ଷତିଗ୍ରସ୍ତ ଲୋକ ଆଜିଯାଏଁ ସରକାରୀ ସହାୟତାର ଅପେକ୍ଷାରେ ଥିବା ବେଳେ ଏହି ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଧ୍ୟାନ ଦେବାକୁ ପୀଡ଼ିତ ଲୋକେ ଦାବି କରିଛନ୍ତି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ