ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ବ୍ଳକ କୈବର୍ତ୍ତ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ବେଚ୍ଛାସେବୀ ତଥା ଆଇନଜୀବୀ ବଳଦେବ ବେଦବାଗଙ୍କ ନେୃତ୍ବତ୍ବରେ ସମାଜର କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନ କରିଛନ୍ତି । ଉଲୁଣ୍ଡା ତହସିଲଦାର କୈବର୍ତ୍ତ ସମାଜର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେଉ ନ ଥିବା ପ୍ରତିବାଦରେ ଏହି ବିକ୍ଷୋଭ କରିଛନ୍ତି ।
କୈବର୍ତ୍ତ ସମାଜର ଲୋକେ ତହସିଲଦାରଙ୍କୁ ଆବଶ୍ୟକ ସରକାରୀ କାଗଜପତ୍ର ଦେବା ପରେ ବି ସେ ଜାତି ଗତ ପ୍ରମାଣ ପତ୍ର ଦେବା ପାଇଁ ଅମଙ୍ଗ ହେଉଥିବା ଅଭିଯୋଗ କରିଛନ୍ତି । କୈବର୍ତ୍ତ ସମାଜର ବିକାଶରେ ତହସିଲଦାର ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ଜାତିଗତ ପ୍ରମାଣ ପତ୍ର ନମିଳିବାରୁ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଜାତିଗତ ପ୍ରମାଣ ପତ୍ର ଅଭାବରୁ କୈବର୍ତ୍ତ ସଂପ୍ରଦାୟର ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବାରୁ ସେମାନେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି । ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଅପରପକ୍ଷରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ତହସିଲଦାରଙ୍କ ସହିତ ଆଲୋଚନା କରି ତୁରନ୍ତ ଏହାର ସମାଧାନ କରିବେ ବୋଲି କୈବର୍ତ୍ତ ସମାଜର କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ