ସୁବର୍ଣ୍ଣପୁର : ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ସହରର ଗାନ୍ଧୀ ପଡିଆଠାରେ ଆୟୋଜିତ ହେବ ରାବଣ ଦରବାର । ଏନେଇ ସ୍ଥାପନ ହୋଇସାରିଛି ଶୁଭସ୍ତମ୍ଭ । ଚନ୍ଦ୍ରଶେଖର ପାଠାଗାର ପକ୍ଷରୁ ଆୟୋଜିତ ଏହି ଉତ୍ସବ ମାର୍ଚ୍ଚ 15 ରୁ ଆରମ୍ଭ ହୋଇ 23 ଯାଏଁ ଚାଲିବ ।
ଶୁଭସ୍ତମ୍ଭ ଉତ୍ସବରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଦେବୀ ମା ସୁରେଶ୍ବରୀ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଗାନ୍ଧୀ ପଡିଆଠାରେ ପହଞ୍ଚିଥିଲା । ପଡିଆରେ ରାବଣ ଦରବାର ପାଇଁ ଭୂମି ପୂଜନ କରାଯାଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଯାତ୍ରା ପାଇଁ ମନୋନୀତ ହୋଇଥିବା ପ୍ରସିଦ୍ଧ କଳାକାର ଗୋପାଳ ପଣ୍ଡା ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଗୋପାଳ ପଣ୍ଡା ରାବଣ ଚରିତ୍ରରେ ଅଭିନୟ କରିବା ପାଇଁ ମନୋନୀତ ହେବା ପରେ ପାଠାଗାର ପକ୍ଷରୁ ତାଙ୍କୁ ବରଣ କରାଯାଇଥିଲା । ପ୍ରଥମଥର ପାଇଁ ଆୟୋଜିତ ଏହି ରାବଣ ଦରବାରରେ ଲକ୍ଷାଧିକ ଦେଖଣାହାରୀଙ୍କ ସମାଗମ ହେବା ଆଶା କରାଯାଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ