ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମ୍ମନ୍ବୟ ସମିତି ଡ଼ାକରାରେ ଜିଲ୍ଲା ଚାଷୀମାନେ ଗୁରୁବାର ରାସ୍ତାରୋକ କରିଛନ୍ତ । ଚାଷୀନେତା ବୈକୁଣ୍ଠ ଶତପଥୀଙ୍କ ନେତୃତ୍ବରେ ସୀମିତ ସଂଖ୍ୟକ ଚାଷୀ ପ୍ରତୀକାତ୍ମକ ଭାବେ ସହରର ବ୍ଲକ ଛକରେ ମାତ୍ର ଘଣ୍ଟାଏ ପାଇଁ ଏହି ରାସ୍ତାରୋକ କରିଥିଲେ । କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତିବାଦ କରିବା ସହିତ ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପିକୁ) ଆଇନଗତ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ଏପରିକି ଏମଏସପିରୁ କମ ଦରରେ କିଣିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାଷୀମାନେ ଦାବି କରୁଛନ୍ତି । ରାଜ୍ୟ ସରକାର 18 ମେ ମାସରେ ଜାରି କରିଥିବା 2 ଅଧ୍ୟାଦେଶକୁ ରଦ୍ଦ କରିବା ସହିତ ସ୍ବାମୀନାଥନ କମିଟିର ସୁପାରିଶକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଦାବି ମଧ୍ୟ କରାଯାଇଛି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଧମକ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ