ସୋନପୁର: ଚାଷୀକୁ ମିଳୁନି ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ । ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ପନିପରିବାର ଦର ଅହେତୁକ ହ୍ରାସ ଯୋଗୁଁ କ୍ଷତି ସହୁଛନ୍ତି ପରିବା ଚାଷୀ । ଚାଷୀ ତଥା ବ୍ୟବସାୟୀ କୃଷି ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରି ପାରୁନ ଥିବାରୁ ପନିପରିବା ଏବେ ଚାଷ ଜମିରୁ ଆଣୁନାହିଁ । ପନିପରିବାର ଉଚିତ ମୂଲ୍ୟ ପାଇ ପାରୁନଥିବାରୁ ଜମିରୁ ପନିପରିବା ଆଣିବା ପରିବର୍ତ୍ତେ ଫୋପାଡି ଦେଉଛନ୍ତି । ଶୀତଳ ଭଣ୍ଡାର ନଥିବାରୁ ଏଭଳି ସମସ୍ୟା ଭୋଗୁଛନ୍ତି ଚାଷୀ ।
ଜିଲ୍ଲାରେ ଏକ ଶୀତଳ ଭଣ୍ଡାର ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ଫଳରେ କୃଷି ଉତ୍ପାଦିତ ଦ୍ରବ୍ୟ ସଂରକ୍ଷିତ କରି ରଖି ପାରୁ ନଥିବାରୁ କ୍ଷତି ସହୁଛି ଚାଷୀ । ଜିଲ୍ଲାରେ ଅନେକ ଲୋକ କୃଷି ଉପରେ ନିର୍ଭରଶୀଳ । ତେଣୁ ପ୍ରତିବର୍ଷ ବହୁ ପରିମାଣରେ କୃଷିଜାତ ଦ୍ରବ୍ୟ ଏଠାରେ ଉତ୍ପାଦିତ ହୋଇଥାଏ । ଖାଲି ଧାନ କାହିଁକି, ଡାଲି ଜାତୀୟ ଶସ୍ୟ ନୁହେଁ ତୈଳବୀଜ ଜାତୀୟ ଶସ୍ୟ ଉତ୍ପାଦନରେ ବି ବେଶ ଆଗୁଆ ରହିଛି ସୋନପୁର ।
ଆଉ ଏବେ ପକ୍ଷୀ ପାଳନ, ପଶୁପାଳନ, ମତ୍ସ୍ୟ ଚାଷ ଆଦିରେ ବି ଜିଲ୍ଲା ନିଜର ଆବଶ୍ୟକତା ମେଣ୍ଟାଇବା ସହିତ ପଡୋଶୀ ଜିଲ୍ଲା ଓ ବାହାର ରାଜ୍ୟକୁ ଖାଦ୍ୟ ପଦାର୍ଥ ରପ୍ତାନୀ କରୁଛି । ତେବେ କୃଷିଜାତ ଦ୍ରବ୍ୟ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ପୂର୍ବରୁ ଅନେକବାର ଶୀତଳ ଭଣ୍ଡାର କରିବାକୁ ଚାଷୀ ଦାବି କରି ଆସୁଛନ୍ତି । ଯଦି ସରକାରୀ ଭାବେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯାଏ ତେବେ ପନିପରିବା ଚାଷୀ ଓ ବ୍ୟବସାୟୀମାନେ ନିଜ କୃଷି ଉତ୍ପାଦିତ ଦ୍ରବ୍ୟ ଅଧିକ ଦିନ ପର୍ଯ୍ୟନ୍ତ ରଖିପାରିବେ ଓ ତାହା ବିକ୍ରି କରି ଲାଭାବାନ ବି ହୋଇପାରିବେ ।
ତେବେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଅନେକ ବର୍ଷ ହେଲା ଦାବି ହୋଇ ଆସୁଛି । ପୂର୍ବତନ କୃଷିମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପାଖରେ ବି ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା । ସେ ସମୟରେ ସେ ଜିଲ୍ଲାର ଚାଷୀମାନଙ୍କୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ପୁଣି ଛଅ ବର୍ଷରୁ ଅଧିକ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ପୂରଣ ହେଲାନି ଚାଷୀଙ୍କ ଦାବି । ତେଣୁ ଏବେ ମଧ୍ୟ କୃଷି ଓ କୃଷକର ଉନ୍ନତି ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବାକୁ ଦାବି ହେଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ଚାଷୀମାନେ ଆଶାବାଦୀ ଅଛନ୍ତି ।
ଇଟିଭି ଭାରତ, ସୋନପୁର