ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ଖରିଫ ଋତୁ ଚାଷ ପାଇଁ ବର୍ଷାର ଅଭାବ ଦେଖାଦେଇଛି । ଅନିୟମିତ ମୌସୁମୀ ସାଙ୍ଗକୁ ସ୍ବଳ୍ପ ବୃଷ୍ଟି ପାଇଁ ଜିଲ୍ଲାର ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଚାଷ କାର୍ଯ୍ୟରେ ବିଳମ୍ବ ହେତୁ ଚାଷୀ ହତାଶ ହୋଇଛନ୍ତି ।
ସୂଚନାମୁତାବକ, ଜିଲ୍ଲାର ପ୍ରାୟ 15 ରୁ 18 ପ୍ରତିଶତ ଜଳସେଚନ କରାଯାଇ ପାରିଥିବା ବେଳେ ବାକି ସବୁ ଚାଷ ଜମି ବର୍ଷାଜଳ ଉପରେ ନିର୍ଭର କରୁଛି । ରାଜ୍ୟ ସରକାର ଜିଲ୍ଲାର 35 ପ୍ରତିଶତ ଚାଷଜମି ଜଳସେଚିତ ହୋଇଥିବା କହୁଥିବା ବେଳେ ପ୍ରକୃତରେ ଜିଲ୍ଲାର ଚାରୋଟି ବ୍ଳକର ଅଧିକାଂଶ ଚାଷଜମି ବର୍ଷା ଜଳ ଉପରେ ନିର୍ଭର କରୁଛି । ବିନିକା ଓ ଡୁଂଗୁରିପାଲି ବ୍ଳକ ହୀରାକୁଦ ଜଳସେଚିତ ଅଂଚଳରେ ରହିଥିବା ବେଳେ ବାକି ଉଲୁଣ୍ଡା ,ସଦର ସୋନପୁର ,ବୀରମହାରାଜପୁର ଓ ତରଭା ବ୍ଳକର ଚାଷୀ ବର୍ଷା ଉପରେ ନିର୍ଭର କରନ୍ତି ।ଏବେ କେବଳ ବିନିକା ଓ ଡୁଙ୍ଗୁରୁପାଲି ବ୍ଳକରେ ଚାଷ କାର୍ଯ୍ୟ ଆଗେଇ ଚାଲିଛି ।
ହେଲେ ବାକି ଚାରୋଟି ବ୍ଳକରେ ପାଣି ଅଭାବରୁ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରି ପାରିନାହାନ୍ତି । ଜିଲ୍ଲା କୃଷି ବିଭାଗରେ ବି ଅନେକ ପଦ ପଦବୀ ଖାଲି ପଡିଥିବାରୁ ଚାଷୀ ପ୍ରକୃତ କୃଷି ପରାମର୍ଶ ମଧ୍ୟ ପାଇ ପାରୁନାହାନ୍ତି । ତେଣୁ ସବୁ ସମୟରେ ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ତେବେ ଚାଷୀ ଉପରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କୃଷି ବିଭାଗ ଓ ରାଜ୍ୟ ସରକାର ସମ୍ବେଦନଶୀଳ ହେବାକୁ ଚାଷୀ ଦାବି କରିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର