ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଦିଗସିରା କ୍ରୟ କେନ୍ଦ୍ରରୁ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି । ଚାଷୀମାନଙ୍କ ଧାନ କିଣାଯିବା ପରେ ମଧ୍ୟ ମିଲର୍ସମାନେ ଟ୍ରକ ପଠାଉନଥିବାରୁ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ବସ୍ତା ପଡି ରହିଥିବା ଅଭିଯୋଗ ହୋଇଛି ।
ଗତ ବର୍ଷ ତମାମୁରା କୃଷି ସମବାୟ ସମିତିରେ ଚାଷୀଙ୍କ ଧାନ କିଣା ଯାଉଥିଲା । ହେଲେ ଚଳିତ ବର୍ଷ ରବି ଋତୁରେ ଦିଗସିରା ଗାଁରେ ମା ସମଲେଶ୍ବରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯାଉଛି କିନ୍ତୁ ମିଲର୍ସମାନେ ଟ୍ରକ ପଠାଉ ନ ଥିବାରୁ ଚାଷୀଙ୍କ ଧାନ ଉଠି ପାରୁନାହିଁ । ଫଳରେ ପ୍ରାୟ 10 ହଜାର ଧାନ ବସ୍ତା ଦିଗସିରା ଗାଁ କ୍ରୟ କେନ୍ଦ୍ରରେ ଖୋଲା ଆକାଶ ତଳେ ପଡି ରହିଛି ।
ସେହିପରି ତମାମୁରା କୃଷି ସମବାୟ ସମିତି ପରିସରରେ ବି ପ୍ରାୟ 3 ହଜାର କ୍ବିଣ୍ଟାଲ ଧାନ ପଡି ରହିଛି । ଟୋକନ ପାଇ କ୍ରୟ କେନ୍ଦ୍ରକୁ ଧାନ ନେଇ ଆସୁଥିବା ଚାଷୀମାନେ କିଣା ଧାନ ଉଠୁ ନ ଥିବାରୁ ନିଜ ଧାନକୁ ଆଉ ବିକ୍ରି କରି ପାରୁ ନାହାଁନ୍ତି । ଫଳରେ ଅନେକ ଚାଷୀ କ୍ରୟ କେନ୍ଦ୍ରରେ ହିଁ ରାତ୍ରି ଯାପନ କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି ।
ତେବେ ଦିଗସିରା ଗାଁର ଚାଷୀ ଯେଉଁ ଦିନର ଧାନ କିଣା ଯାଉଛି ସେହି ଦିନରେ ମିଲର୍ସମାନେ ଟ୍ରକ ପଠାଇ ଧାନ ଉଠାଇ ନେବାକୁ ଦାବି କରିଛନ୍ତି । ଅପରପକ୍ଷରେ ମିଲର୍ସ ସଭାପତି ମନୋଜ ପଧାନ ଉଭୟ କ୍ରୟ କେନ୍ଦ୍ରକୁ ଟ୍ରକ ଯାଇ ପର୍ଯ୍ୟାୟ କ୍ରମେ ଧାନ ଉଠୁଛି ବୋଲି ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ