ସୁବର୍ଣ୍ଣପୁର: ଆଜି(ଶନିବାର) କାର୍ତ୍ତିକ ଅମାବାସ୍ୟା । ସାରା ଦେଶରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ଦୀପାବଳୀ ପର୍ବ ତେବେ ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା' ସୁରେଶ୍ୱରୀଙ୍କ ପୀଠରେ ଆଜି ପାଳନ କରାଯାଉଛି ଦୀପାବଳି ପର୍ବ। କୋଭିଡ୍ କଟକଣା ମଧ୍ୟରେ ସେବାୟତ ମାନେ ଉଁଆସର ସ୍ୱତନ୍ତ୍ର ପୂଜା ଆରାଧନା କରି ଦୀପ ପ୍ରଦାନ କରିଛନ୍ତି ।
ମନ୍ଦିରର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇ ଥିବାରୁ ଶ୍ରଦ୍ଧାଳୁ ମାନେ ଦେବୀଙ୍କ ଆଗରେ ଥିବା ଦକ୍ଷିଣ ମୁହାଁ ଜୁଳୁକାରେ ଦୀପ ପ୍ରଦାନ କରିଛନ୍ତି । ପ୍ରତିବର୍ଷ ଏହି ଶକ୍ତି ପୀଠରେ ଦୀପାବଳିରେ ଦୀପ ଯଜ୍ଞର ଆୟୋଜନ କରାଯାଇଥାଏ । ହଜାରହଜାର ଶ୍ରଦ୍ଧାଳୁ ଦେବୀଙ୍କ ପାଖରେ ଦୀପ ପ୍ରଦାନ କରି ଦୀପ ଯଜ୍ଞରେ ସାମିଲ ହୋଇଥାନ୍ତି ମାତ୍ର କୋଭିଡ୍ କଟକଣା ଯୋଗୁଁ ସହରରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ।
ଏଥର ଆତସବାଜି ଉପରେ କଟକଣା ସହିତ ଜନ ସମାଗମକୁ ପୋଲିସ ପକ୍ଷରୁ ବାରଣ କରାଯାଇଛି । ତଥାପି ଦେବୀଙ୍କ ସ୍ୱତନ୍ତ୍ର ଉଁଆସ ପୂଜା ପାରମ୍ପରିକ ବିଧି ବିଧାନରେ ପାଳିତ ହୋଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ