ସୁବର୍ଣ୍ଣପୁର: ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଡାଳୁଅ ଧାନ ଋତୁ ପାଇଁ ଜିଲ୍ଲାରୁ ୨୦ ହଜାର ମ୍ୟାଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।
ଆସନ୍ତା ମେ ୧୫ ତାରିଖରୁ ଜିଲ୍ଲାର ହୀରାକୁଦ ଜଳସେଚିତ ଅଞ୍ଚଳ ବିନିକା ଓ ଡୁଂଗୁରୀପାଲି ସହ ଅନ୍ୟାନ୍ୟ ଅଞ୍ଚଳରୁ ଚାଷୀଙ୍କଠାରୁ ମାର୍କେଟ ୟାର୍ଡ ଜରିଆରେ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଛି । ଏଥିସହ ୧୮ ହଜାର ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକୃତ କରିଛନ୍ତି ।
ଚାଷୀଙ୍କ ଉତ୍ପାଦିତ ଧାନ କ୍ରୟ ପାଇଁ ଜିଲ୍ଲାର ୩୦ଟି ମିଲର୍ସଙ୍କୁ ସାମିଲ କରାଯାଇଛି । ଏଥିସହ ସଂପୃକ୍ତ ଅଞ୍ଚଳରେ ଥିବା ନିୟନ୍ତ୍ରିତ ବଜାର କମିଟି ଜରିଆରେ ସରକାରଙ୍କ ଧାର୍ଯ୍ୟ ଦରରେ ଧାନ କିଣାଯାଇ ଚାଷୀଙ୍କ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବା ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା, ସିଏସଓ ବିବେକାନନ୍ଦ କର୍କରା, ଅଗ୍ରଣୀ ଚାଷୀ ସଂଗଠନର ଚାଷୀ ଓ ମିଲର୍ସମାନେ ଅଂଶଗ୍ରହଣ କରି ଧାନକ୍ରୟ ସଂପର୍କିତ ଆଲୋଚନାରେ ମତ ରଖିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ