ସୁବର୍ଣ୍ଣପୁର: 9 ଦଫା ଦାବି ନେଇ ଗୁରୁବାର ଉଲୁଣ୍ଡା ବ୍ଲକ ବିଜେପି ମଣ୍ଡଳ ପକ୍ଷରୁ ବ୍ଲକ ଅଫିସ ଘେରାଉ କରାଯାଇଛି । ପ୍ରକୃତ ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ରାଶି ପ୍ରଦାନ, ପି.ଏମ୍ କିଶାନ ଯୋଜନାରେ ଚାଷୀଙ୍କୁ ସାମିଲ କରିବା, ଉଲୁଣ୍ଡା ଡାକ୍ତରଖାନାରେ ଡାକ୍ତରୀ ଓ କର୍ମଚାରୀଙ୍କ ପଦ ପଦବୀ ପୂରଣ କରିବା, ହାତୀ ଉପଦ୍ରବ ନେଇ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ପ୍ରଦାନ, ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ଆଦି ଦାବି ନେଇ ସ୍ଥାନୀୟ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ଉଲୁଣ୍ଡା ବ୍ଲକ ଏସ.ସି ସେଲର ସଭାପତି ବଲରାମ ସୁନାଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ସ୍ଥାନୀୟ ହାଟପଦା ପଡାରୁ ବାହାରି ବସ୍ତି ପରିକ୍ରମା କରିଥିଲା । ଫରେ ଏହା ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଥିଲା । ସେଠାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ତେବେ ଆଗାମୀ ମାସେ ମଧ୍ୟରେ ଦାବି ପୂରଣ କରିବା ପାଇଁ ବ୍ଳକ ପ୍ରଶାସନକୁ ଗୁହାରୀ କରିଛନ୍ତି । ଦାବି ପୂରଣ ନ ହେଲେ ବ୍ଲକ ଅଫିସରେ ତାଲା ପକାଇ ଆନ୍ଦୋଳନ ଆହୁରି ବ୍ୟାପକ କରିବାକୁ ଉଲୁଣ୍ଡା ଏସ.ସି ସେଲ ଅଧ୍ୟକ୍ଷ ବଳରାମ ସୁନା ବ୍ଳକ ପ୍ରଶାସନକୁ ଧମକ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ