ସୁବର୍ଣ୍ଣପୁର: ଆଜି ଧୂମାବତୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି ସୋନପୁର ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ । ଆସନ୍ତାକାଲି ଦେବୀ ମା’ ରାଜରାଜେଶ୍ବରୀ ବେଶ ଧାରଣ କରିବେ। ତେବେ ଦେବୀ ମା’ ସୁରେଶ୍ବରୀ ଆଶ୍ବିନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି । ମହାଳୟାରେ ଦେବୀ ମା’ ଧବଳମୁଖୀ ବେଶ ଧାରଣ କରୁଥିବା ବେଳେ ପରବର୍ତ୍ତି ଦଶମୀ ତିଥି ଯାଏଁ ତାରା , ଷୋଡ଼ଶୀ , ଭୈରବୀ , ଭୂବନେଶ୍ବରୀ , ମହାଲକ୍ଷ୍ମୀ ,ବଗଳାମୁଖୀ, ଜୟଦୁର୍ଗା, ମହିଷାମର୍ଦ୍ଧୀନି , ଧୂମାବତୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରିବାର ପରମ୍ପରା ରହିଛି।
ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଙ୍ଗର ବସ୍ତ୍ର ପ୍ରଦାନ କରାଯାଉଥିବା ବେଳେ ଆଜି କିନ୍ତୁ ଦେବୀ ମା’ ସୁନା ଓ ରୂପା ଆଭୂଷଣରେ ସଜ୍ଜିତ ହୋଇ ଶ୍ବେତ ପାଟ ବସ୍ତ୍ର ପରିଧାନ କରିଛନ୍ତି । ମହାଳୟାରେ ସେବାୟତମାନେ ଗଙ୍ଗାଜଳ, ଅଗୁର, ଚନ୍ଦନ, କର୍ପୁର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରୁଥିବା ବେଳେ ଅନ୍ୟ ଦିନରେ ଦେବୀମା କଳା, ହଳଦିଆ, ହାଲକା ଫଗୁ ରଙ୍ଗ ତଥା ସବୁଜ ବସ୍ତ୍ର ପରିଧାନ କରିଥାନ୍ତି।
ତେବେ ସୁବର୍ଣ୍ଣପୁରର ଐତିହାସୀକ ବଳୀଯାତ୍ରାର ନୀତିକାନ୍ତି ଚାଲିଥିବା ବେଳେ ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମା ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି ଏହି ଶାକ୍ତ ପୀଠକୁ । ଦେବୀ ପୀଠରେ ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ଶୃଙ୍ଖଳିତ ଦେବୀ ଦର୍ଶନ ଓ କୋଭିଡ ନିୟମ ଅନୁପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ଦେବୋତ୍ତର ବିଭାଗ ଆବଶ୍ୟକ ନିର୍ଦ୍ଦେଶ ଦେଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ