ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରର ବ୍ଳକ ଛକର ଦୈନିକ ବଜାରରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି । ବ୍ଳକ ଛକରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଯିବା ରାସ୍ତାକଡ ପନିପରିବା ଦୈନିକ ବଜାର କୋଭିଡ ସମୟରେ ରୟାଲ ପଡିଆକୁ ନିଆଯାଇଥିଲା । ରାସ୍ତା କଡରେ ଥିବା ସବୁ ଉଠାଦୋକାନୀ ଗୁଡିକ ରାଜସ୍ବ ବିଭାଗ ଓ ପୌର ପରିଷଦ ପକ୍ଷରୁ ଉଚ୍ଛେଦ କରାଯାଇଥିଲା ।
ତେବେ ଏହି ଛୋଟିଆ ବ୍ୟବସାୟୀ ମାନଙ୍କୁ ପୌର ପରିଷଦ ପକ୍ଷରୁ ବ୍ଳକ ଛକରୁ ପଟାଭାଡି ରାସ୍ତାରେ ଯିବା ବେଳେ ଡାହାଣ ପାର୍ଶ୍ବରେ ଥିବା ଦେବୋତ୍ତର ପଡିଆରେ ବସିବା ପାଇଁ ଅନୌପଚାରିକ ଭାବେ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଆଜକୁ ପ୍ରାୟ ଛଅ ମାସରୁ ଅଧିକ ହେଲା ଛୋଟ ଛୋଟ ବ୍ୟବସାୟୀ ଓ ପନିପରିବା ବଜାର ଦେବୋତ୍ତର ଜମିରେ ବସୁଛି । ତେବେ ସେଠାରେ ପିଇବା ପାଣି, ବଜାର ପିଣ୍ଡି, ସାଇକେଲ ଷ୍ଟାଣ୍ଡ ତଥା ଆଲୁଅ ବ୍ୟବସ୍ଥା ନଥିବାରୁ ଉଭୟ ଗ୍ରାହକ ଓ ବ୍ୟବସାୟୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରଚଣ୍ଡ ଗ୍ରୀଷ୍ମରେ କିଛି ବ୍ୟବସାୟୀ ଅସ୍ଥାୟୀ କୁଡିଆ ତିଆରି କରି ବସୁଥିବା ବେଳେ କିଛି ବ୍ୟବସାୟୀ କପଡା ଛତା ବ୍ୟବହାର କରୁଛନ୍ତି ।
ବିଭିନ୍ନ ଗାଁ ଗହଳିରୁ ଆସୁଥିବା ବ୍ୟବସାୟୀ ମାନେ କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମରେ ଖରାରେ ନିଜ ବ୍ୟବସାୟ କରୁଛନ୍ତି । ଅନ୍ତତଃ ଅସ୍ଥାୟୀ ପରଛାଇ ନିର୍ମାଣ ସହ ପିଇବା ପାଣି ଓ ଆଲୁଅ ବ୍ୟବସ୍ଥା କଲେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଉପକୃତ ହେବେ । ତେବେ ତୁରନ୍ତ ଏଦିଗରେ ପୌର ପରିଷଦ ଧ୍ୟାନ ଦେବାକୁୁ ବିଜେପି ନେତା ବଳଦେବ ବେଦବାଗ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ