ସୁବର୍ଣ୍ଣପୁର: ସହରରେ ପ୍ରାୟ 300 ରୁ ଅଧିକ ପରିବାର ଜାଗା ମିଶନ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ 700 ପରିବାରକୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । ହେଲେ ଏବେ ବି ବିଭିନ୍ନ ବସ୍ତିରେ ବସବାସ କରୁଥିବା ଅନେକ ପରିବାର ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି ।
ଫଳରେ ବାସଗୃହ ଅବା ଜମିପଟ୍ଟା ନ ଥିବା ପରିବାରଗୁଡିକର ଛାତ୍ରଛାତ୍ରୀ ସ୍ଥାୟୀ ବାସସ୍ଥାନ ପ୍ରମାଣ ପତ୍ର ଦେଇ ପାରୁ ନାହାନ୍ତି । ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଛାତ୍ରଛାତ୍ରୀଙ୍କୁ । ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହିସବୁ ପରିବାର ଆର୍ଥିକ ଅଭାବ ଯୋଗୁଁ ବ୍ୟକ୍ତିଗତ ଭାବେ ନା ସହରାଞ୍ଚଳରେ ଜାଗା କିଣି ପାରୁଛନ୍ତି ନା ଘର ଖଣ୍ଡିଏ ତିଆରି କରି ପାରୁଛନ୍ତି । ସହରର ରାଜସ୍ବ ବିଭାଗରେ ଥିବା ଅନେକ ଜମିରେ ଲୋକେ ଜବରଦଖଲ କରି ରହି ଆସୁଛନ୍ତି । ଫଳରେ ପ୍ରଶାସନିକ କାର୍ଯ୍ୟରେ ଆସୁଥିବା ସେହି ଜାଗାଗୁଡିକୁ ପ୍ରଶାସନ ଖାଲି କରୁ ଥିବାବେଳେ ସେମାନଙ୍କୁ କିନ୍ତୁ ଥଇଥାନ କରିବାକୁ ଭୁଲି ଯାଉଥିବା ଅଭିଯୋଗ ହେଉଛି । ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଜାଗା ସହିତ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଦାବି ହେଉଛି ।
ଜିଲ୍ଲା ପ୍ରଶାସନ ଆବଶ୍ୟକ କରୁଥିବା ସରକାରୀ ଜାଗାରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପୂର୍ବରୁ ଜାଗା ମିଶନ ଯୋଜାନାରେ ଜାଗା ଯୋଗାଇ ଦେବାକୁ ଦାବି ହେଉଛି । ସେହିପରି ଆବାସ ଯୋଜନାରେ ଘର ଯୋଗାଇ ଦେଇ ଥଇଥାନ କରିବା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ସହରରେ ଆହୁରି ପ୍ରାୟ 300 ରୁ ଅଧିକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଅପରପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ କରି ଜାଗା ସହିତ ଘର ଯୋଗାଇ ଦେବା ପାଇଁ ଜିଲ୍ଲାପାଳ କହିଛନ୍ତି ।ଯୋଗ୍ୟ ହୋଇନଥିବା ଲୋକଙ୍କୁ ପ୍ରଶାସନ ଆବଶ୍ୟକ କରୁଥିବା ସରକାରୀ ଜମିରୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ